ଟିକେଟ ମିଳିଲାନି ବୋଲି ଟାୱାରରେ ଚଢ଼ି ଧମକାଇଲେ ଆପ୍ ନେତା
ଆଜି ‘ଆମ୍ ଆଦ୍ମି ପାର୍ଟି’ର ପୂର୍ବତନ କାଉନ୍ସିଲର୍ ହସୀବ୍-ଉଲ୍-ହସନ୍ ଦିଲ୍ଲୀସ୍ଥିତ ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନ୍ ସମ୍ମୁଖ ଉଚ୍ଚ-କ୍ଷମତାସମ୍ପନ୍ନ ବିଜୁଳି ଟାୱାର୍ ଉପରକୁ ଚଢ଼ିଯାଇଛନ୍ତି। ଟିକେଟ ନ ମିଳିବାରୁ ହସୀବ୍ ଟାୱାର ଉପରେ ଚଢ଼ି ହଙ୍ଗାମା କରିଛନ୍ତି।
ଦିଲ୍ଳୀ ନଗରନିଗମ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ତାଙ୍କୁ ପ୍ରାର୍ଥୀ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ତାଙ୍କୁ ଟିକେଟ୍ ମିଳିନଥିଲା। ଏହାପରେ ସେ ରାଗି ଯାଇ ଦିଲ୍ଲୀର ଶାସ୍ତ୍ରୀ ପାର୍କରେ ନିକଟରେ ଥିବା ଏକ ଟାୱର ଉପରେ ଚଢ଼ି ଯାଇଥିଲେ। ଦଳ ମୋତେ ଟିକେଟ୍ ଦେଲାନି ତେଣୁ ମୁଁ ଆତ୍ମହତ୍ୟା କରିବି ବୋଲି ସେ ଧମକ ଦେଇଥିଲେ। ତାଙ୍କର ଏଭଳି ଆତ୍ମହତ୍ୟା ଉଦ୍ୟମ ବାବଦରେ ଜାଣିବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି।
ଦିଲ୍ଲୀ ‘ଏମ୍ସିଡି’ ନିର୍ବାଚନ ନିମନ୍ତେ ‘ଆପ୍’ ଶନିବାର ଦିନ ପ୍ରଥମ ତାଲିକାରେ ୧୩୪ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ଟିକେଟ୍ ପାଇଥିବା ୧୩୪ଜଣଙ୍କ ମଧ୍ୟରୁ ୭୦ଜଣ ହେଉଛନ୍ତି ମହିଳା। ‘ଏମ୍ସିଡି’ ନିର୍ବାଚନ ପାଇଁ ‘ଆପ୍’ ପୂର୍ବତନ ବିଧାୟକ ବିଜେନ୍ଦ୍ର ଗର୍ଗଙ୍କୁ ନାରାୟଣ ଅଞ୍ଚଳର ଦାୟିତ୍ବ ଦିଆଯାଇଛି। ହେଲେ ହସୀବ୍ଙ୍କ ନାଁ ଏହି ତାଲିକାରେ ନାହିଁ।
Powered by Froala Editor