ଦନ୍ତା ହାତୀ ରାଜଧାନୀମୁହାଁ

ଭୁବନେଶ୍ୱର: ଗତକାଲି ଦିନ ସାରା ପିପିଲିରେ ଉପଦ୍ରବ ଚଳାଇଥିବା ଦନ୍ତା ହାତୀ ରାତିରେ ରାଜଧାନୀମୁହାଁ ହୋଇଥିଲା। ରାଜଧାନୀର ବିଭିନ୍ନ ଜନବସତି ଅଞ୍ଚଳରେ ହାତୀଟି ବୁଲିବାକୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏପରିକି ହାତୀ ଭୟରେ ଖାଁ ଖାଁ ହୋଇ ପଡ଼ିଥିଲା ରାଜଧାନୀର ରାଜରାସ୍ତା। ରାତି ସାରା ହାତୀ ପିଛା ଧାଇଁ ଧାଇଁ ହାଲିଆ ହୋଇ ପଡ଼ିଥିବା ବନ ବିଭାଗ ଟିମ୍ ଆଜି ଭୋରରୁ ହାତୀଟିକୁ ଆଇଗିଣିଆ ଆର୍ୟୁବେଦ ପାର୍କରେ ଥିବା ବେଳେ ଟ୍ରାଙ୍କୁଲାଇଜ କରିଛନ୍ତି। ତେଣୁ ଆଉ ରାତି ପର୍ୟ୍ୟନ୍ତ ଅପେକ୍ଷା ନ କରି ସକାଳୁ ସକାଳୁ ହିଁ ହାତୀଟିକୁ ଚନ୍ଦକା ଜଙ୍ଗଲ ସ୍ଥାନାନ୍ତର କରାଯିବାକୁ ବ୍ୟବସ୍ଥା କରାଯାଇଛି।
ଗତକାଲି ଦିନରେ ପିପିଲିରେ ଆତଙ୍କରାଜ ଚଳାଇଥିବା ହାତୀଟି ମଧ୍ୟ ରାତ୍ରିରେ ଧଉଳିମୁହାଁ ହୋଇଥିଲା। ଏହାପରେ ଗ୍ୟାରେଜ ଛକ ଦେଇ ହାତୀଟି ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚିଥିଲା । ସେଠାରୁ ହାତୀଟି ସୁନ୍ଦରପଦା ଅଞ୍ଚଳକୁ ଚାଲି ଯାଇଥିଲା। ଆଗରେ ହାତୀ ଚାଲୁଥିବାବେଳେ ଏହାକୁ ଘଉଡ଼ାଇବାକୁ ପଛେ ପଛେ ବନବିଭାଗ ଓ ପୁଲିସ୍ ଟିମ ଚାଲିଥିଲେ । ହାତୀଟି ଜନବସତିମୁହାଁ ହେବାରୁ ଲୋକେ ଭୟଭୀତ ହୋଇ ପଡ଼ି ଘରେ ପଶି ରହିଥିଲେ। କୌଣସି ଅଘଟଣ ଆଶଙ୍କାରେ ବନବିଭାଗ, ପୁଲିସର ଏକାଧିକ ଟିମ୍ ନିୟୋଜିତ ହୋଇଥିଲେ।
ହାତୀଟି ଆଇଗିଣିଅ ଆର୍ୟୁବେଦ ଜଙ୍ଗଲରେ ଭୋର ୩ଟାରେ ପ୍ରବେଶ କରିଥିଲା। ଭୋର ୫ଟାରେ ତାକୁ ଟ୍ରାଙ୍କୁଲାଇଜ କରାଯାଇଛି। ତା’ ଗୋଡ଼ ୨ଟିକୁ ଲୁହା କଡ଼ିରେ ବନ୍ଧା ଯାଇଛି। ହାତୀଟି ବେହୋସ ନ ହେଲେ ଆଉ ଏକ ଟ୍ରାଙ୍କୁଲାଇଜ ଡୋଜ ଦିଆଯିବ ବୋଲି ଜଣାଯାଇଛି। ଏହାପରେ ହାତୀକୁ ଜଙ୍ଗଲକୁ ନିଆଯିବ ।
Powered by Froala Editor