ସଜେଇ ହୋଇଛି ଶାନ୍ତିସ୍ତୁପ ଧଉଳି, ଆଜି ପାଳିତ ହେବ ସୁବର୍ଣ୍ଣ ଜୟନ୍ତୀ
ଧଉଳି:ଆଜି ଧଉଳି ଶାନ୍ତିସ୍ତୂପରେ ପାଳିତ ହେବ ସୁବର୍ଣ୍ଣ ଜୟନ୍ତୀ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ସଜେଇ ହୋଇଛି ଶାନ୍ତିସ୍ତୁପ । ୧୯୭୨ ମସିହାରେ ଧଉଳି ପାହାଡ଼ରେ ପ୍ରତିଷ୍ଠିତ ବିଶ୍ୱବିଦିତ ଏହି ଶାନ୍ତିସ୍ତୂପ ଏବଂ ବୌଦ୍ଧ ପୁଣ୍ୟପୀଠ ୫୦ ବର୍ଷ ପୂରଣ କରୁଛି । ଏହାକୁ ସ୍ମରଣୀୟ କରିବା ଲାଗି ଶୁକ୍ରବାର ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ପାଳନ ହେବ । ସୁବର୍ଣ୍ଣ ଜୟନ୍ତୀ ତଥା ପୂଜା ମହୋତ୍ସବ ସମାରୋହ ଅନୁଷ୍ଠିତ ହେବ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ । ତେବେ ତା’ ପୂର୍ବରୁ ଏ ଶୋଭାଯାତ୍ରା ଏକ ଭିନ୍ନ ପରିବେଶ ସୃଷ୍ଟି କରିଛି । ବୌଦ୍ଧ ଭିକ୍ଷୁଙ୍କ ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜରିତ ହୋଇଛି ରାଜଧାନୀ ।
ଗୁରୁବାର ସକାଳ ୯ ଟା ସମୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ଜାପାନ ବୌଦ୍ଧ ଭିକ୍ଷୁ ଟାକାଓ ଟାକାଡୋ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଶାନ୍ତି ଶୋଭାଯାତ୍ରାର ଉଦ୍ଘାଟନ କରିଥିଲେ । ଏଥିରେ ବିଭିନ୍ନ ଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁ, ସାଧୁସନ୍ଥ ଯୋଗଦେଇଥିଲେ । ବୌଦ୍ଧ ଭିକ୍ଷୁ ଓ ଅତିଥିମାନେ ପ୍ରଥମେ ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହରୁ ବାହାରି ପଦଯାତ୍ରାରେ ଯାଇଥିଲେ । ଢ଼ୋଲ ବାଦନ ପୂର୍ବକ ଶାନ୍ତି ମନ୍ତ୍ର ‘ନା ମ୍ୟୁ ମ୍ୟୋ ହୋ ରେନ୍ ଗେ କ୍ୟୋ’ ଉଚ୍ଚାରଣ କରି ରାଜଭବନ ଛକ ଦେଇ ଏଜି ଛକ ଅତିକ୍ରମ କରିଥିଲେ । ଏହାପରେ ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମର ସ୍ୱତନ୍ତ୍ର ବସ୍ ଯୋଗେ ଧଉଳି ଛକରେ ପହଞ୍ଚିଥିଲେ । ସେଠାରୁ ପୁନଶ୍ଚ ପଦଯାତ୍ରାରେ ବାହାରି ସମ୍ରାଟ ଅଶୋକଙ୍କ ଶିଳାଲେଖ ଏବଂ ହାତୀପାର୍କ ନିକଟରେ ପହଞ୍ଚିଥିଲେ । ଶିଳାଲେଖଠାରେ ପ୍ରାର୍ଥନା କରିଥିଲେ । ସେହି ସ୍ଥାନରେ ସନ୍ନ୍ୟାସୀମାନେ ଖାଦ୍ୟ ପାନୀୟ ଗ୍ରହଣ କରିଥିଲେ ।
Powered by Froala Editor