ବିଜେଡିରୁ ବହିଷ୍କାର ହେଲେ ରାଜେନ୍ଦ୍ର ଦାସ
ଭୁବନେଶ୍ୱର : ଶେଷରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କାର କରିଛି ବିଜେଡି। ଦଳ ବିରୋଧୀ କାର୍ୟ୍ୟ ପାଇଁ ଆଜି ରାଜେନ୍ଦ୍ରଙ୍କୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏଥର ଉପନିର୍ବାଚନରେ ବିଜେଡିରୁ ଟିକେଟ ପାଇବା ପାଇଁ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା। ଦଳ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କଲା। ଫଳରେ ରାଜେନ୍ଦ୍ର ଅସନ୍ତୁଷ୍ଟ ହୋଇଥିଲେ। ତାଙ୍କୁ ଦଳ ପକ୍ଷରୁ ବୁଝାଇବାକୁ ପ୍ରୟାସ କରାଯାଇଥିଲା। କିନ୍ତୁ ସେ ବୁଝି ନଥିଲେ। ଶେଷରେ ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ବିଜେଡିର ଆଶା ଥିଲା ରାଜେନ୍ଦ୍ର ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବେ। କିନ୍ତୁ ସେମିତି କିଛି ଘଟିଲା ନାହିଁ। ରାଜେନ୍ଦ୍ର ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନଥିଲେ। ଏବେ ସେ ଉପନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର କରୁଛନ୍ତି। ତାଙ୍କୁ ‘ଭାସମାନ ଡଙ୍ଗା ସହ ନାବିକ ଓ କାତ’ ଚିହ୍ନ ମିଳିଛି।
ବିଜେଡିରୁ ବହିଷ୍କୃତ ହେବା ପରେ ରାଜେନ୍ଦ୍ର ଦାସ କହିଛନ୍ତି, ସଭାପତିଙ୍କ ନିଷ୍ପତ୍ତିକୁ ମୁଣ୍ଡ ପାତି ସହୁଛି ଓ ସ୍ୱାଗତ କରୁଛି। ଆମେ ଲୋକଙ୍କ ସହ ଅଛୁ। କାର୍ୟ୍ୟାନୁଷ୍ଠାନ ବଡ଼ କଥା ନୁହେଁ। ଲୋକଙ୍କ ସେବା କରିବା ପାଇଁ ରାଜନୀତି କରୁଛି। ଧାମନଗରବାସୀଙ୍କ ସ୍ୱାଭିମାନ ରକ୍ଷା ପାଇଁ ସଂଗ୍ରାମ ଜାରି ରହିବ। ମୋ ପଛରେ ଧାମନଗରବାସୀଙ୍କ ସମର୍ଥନ ରହିଛି ଓ ମୁଁ ନିଶ୍ଚୟ ବିଜୟୀ ହେବି।
Powered by Froala Editor