ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ନିମନ୍ତେ ଏଣିକି ହେବ ଏକକ ପରୀକ୍ଷା
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ଗ୍ରୁପ-ବି ଅନ୍ତର୍ଗତ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଓ ନିର୍ଦ୍ଧାରିତ ଅବଧି ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ନିମନ୍ତେ ଭିନ୍ନ ଭିନ୍ନ ପରୀକ୍ଷା ପରିବର୍ତ୍ତେ ଏକକ ପରୀକ୍ଷା କରାଯିବ । ପ୍ରାର୍ଥୀମାନେ ଭିନ୍ନ ଭିନ୍ନ ପରୀକ୍ଷା ପାଇଁ ଆବେଦନ ନକରି ଏକକ ପରୀକ୍ଷା ନିମନ୍ତେ ଆବେଦନ କରିପାରିବେ । ଏହା ଦ୍ୱାରା ପରୀକ୍ଷାର୍ଥୀଙ୍କ ସମୟ ଓ ଅର୍ଥ ବ୍ୟୟ ହ୍ରାସ ହେବା ସହ ରାଜ୍ୟ ସରକାରଙ୍କ ବ୍ୟୟଭାର ମଧ୍ୟ ହ୍ରାସ ହେବ । ଏଥିପାଇଁ ରାଜ୍ୟ କ୍ୟାବିନେଟ୍ କମ୍ବାଇନଡ୍ ଗ୍ରାଜୁଏଟ ଲେଭଲ ରିକ୍ୟୁଟମେଂଟ ପ୍ରକ୍ରିୟା ନିୟମାବଳୀ-୨୦୨୨ ପ୍ରଣୟନକୁ ଅନୁମୋଦନ କରିଛନ୍ତି ।
ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ବିଭିନ୍ନ ବୈଷୟିକ ସେବା ଓ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ନିର୍ଦ୍ଧାରିତ ଅବଧିରେ ଶେଷ କରିବା ନିମନ୍ତେ କମ୍ବାଇନଡ୍ ଟେକନିକାଲ ସର୍ଭିସ ରିକ୍ରୁ୍ୟଟମେଂଟ ପରୀକ୍ଷା-୨୦୨୨ ପ୍ରଣୟନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାଫଳରେ ବିଭିନ୍ନ ବୈଷୟିକ ସେବା ଓ ପଦବୀରେ ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ ପରୀକ୍ଷା ପରିବର୍ତ୍ତେ ଏକକ ପରୀକ୍ଷା ନିମେନ୍ତ ପରୀକ୍ଷାର୍ଥୀ ଆବେଦନ କରିପାରିବେ ।
ସେହିପରି ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର( ଜୁନିୟର ଆସିଷ୍ଟାଣ୍ଟ, ଏଏସଓ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମାବଳୀ-୨୦୧୯ର ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏସବୁ ବ୍ୟତୀତ ରାଜ୍ୟ କ୍ୟାବିନେଟ୍ ଆଜି କୋଭିଡ୍ ସମୟରେ ବନ୍ଦ ଥିବା ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ର ଓ ଦକ୍ଷତା ବିକାଶ ବିସ୍ତାର କେନ୍ଦ୍ରର ୨୦୨୦ ମାର୍ଚ୍ଚରୁ ଅକ୍ଟୋବର ମାସ ପର୍ୟ୍ୟନ୍ତ ୮ମାସର ଘରଭଡ଼ାକୁ ଛାଡ଼ କରିବା ନିମନ୍ତେ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । କୋଭିଡ୍ ସମୟରେ ଏହିସବୁ କେନ୍ଦ୍ରଗୁଡ଼ିକ ସରକାରଙ୍କ ନିର୍ଦ୍ଦେଶ ମାଗି ବନ୍ଦ ରହିଥିଲା । ଏହି ସବୁ କେନ୍ଦ୍ରରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
Powered by Froala Editor