ଆତଙ୍କବାଦୀ ନିରୋଧ ଅପରେସନ୍ ପାଇଁ ୮୫.୮୫କୋଟି ଟଙ୍କା ବାର୍ଷିକ ୱାର୍କ ପ୍ଲାନକୁ ଅନୁମୋଦନ
ଭୁବନେଶ୍ୱର: ରାଜ୍ୟ ସରକାର ନକ୍ସଲ ଆକ୍ରମଣରେ ପ୍ରାଣ ହରାଉଥିବା ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ପରିମାଣକୁ ବୃଦ୍ଧି କରିଛନ୍ତି । ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଉଥିବା ସୁରକ୍ଷାକର୍ମୀଙ୍କ ପରିବାରକୁ ୨୦ଲକ୍ଷ ପରିବର୍ତ୍ତେ ୪୦ଲକ୍ଷ ଟଙ୍କା ଓ ସାଧାରଣ ଲୋକଙ୍କ ପରିବାରକୁ ୨ଲକ୍ଷ ପରିବର୍ତ୍ତେ ୫ଲକ୍ଷ ଟଙ୍କା ସହାୟତା ମିଳିବ ।
ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆତଙ୍କବାଦୀ ନିରୋଧ ଅପରେସନ୍ ଜାରି ରଖିବା ପାଇଁ ୮୫.୮୫କୋଟି ଟଙ୍କା ବାର୍ଷିକ ୱାର୍କ ପ୍ଲାନକୁ ଅନୁମୋଦନ କରିଛନ୍ତି । ୨୦୨୧-୨୨ରେ ଏହି ବଜେଟ୍ ପରିମାଣର ୫୦.୫୬କୋଟି ଟଙ୍କା ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହାର ପରିମାଣ ୮୫.୮୫କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏଥିରେ କେନ୍ଦ୍ର ସରକାରଙ୍କ ୬୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ୪୦ ପ୍ରତିଶତ ଅର୍ଥରାଶି ରହିଛି । ବଜେଟ ପରିମାଣ ବୃଦ୍ଧି ସହ ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଉଥିବା ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କ ପରିବାର ପାଇଁ ଦିଆଯାଉଥିବା ଅନୁକମ୍ପାମୂଳକ ସହାୟତା ରାଶି ପରିମାଣକୁ ମଧ୍ୟ ବୃଦ୍ଧି କରାଯାଇଛି ।
ବୈଠକରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନକ୍ସଲମୁକାବିଲାରେ ନିୟୋଜିତ ସଶସ୍ତ୍ର ଯବାନମାନଙ୍କୁ ଆବଶ୍ୟକ ସୁରକ୍ଷା ଉପକରଣ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନତଧରଣର ଅସ୍ତ୍ରଶସ୍ତ୍ର, ପ୍ରଶିକ୍ଷଣ ଆଦି ସହ ଆତ୍ମସର୍ମପଣ କରୁଥିବା ନକ୍ସଲଙ୍କୁ ଥଇଥାନ କରିବା ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି ।
Powered by Froala Editor