ଖେଳନା ବନ୍ଧୁକ ଦେଖାଇ ଲୁଟୁଥିଲେ, ଧରାପଡ଼ିଲେ ୪ ଚୋର
ଖେଳନା ବନ୍ଧୁକ ଦେଖାଇ ଲୋକଙ୍କୁ ଲୁଟୁଥିବା ୪ ଲୁଟେରାଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶନିଚର ଓରାମ, ମିଶ୍ର ଓରାମ, ଜୟଦେବ ଓରାମ ଓ ଗୋବିନ୍ଦ ମିରିଗ। ଝାରସୁଗୁଡା ନିକଟ ବଡ଼ମାଲ ଥାନା ଅନ୍ତର୍ଗତ ଭୁର୍କାମୁଡ଼ା ଠାରେ ହୋଇଥିବା ଏକ ଡକାୟତି ଘଟଣାରେ ବଡ଼ମାଲ ପୁଲିସ ଏହି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗତ ୨୮ ତାରିଖ ରାତିରେ ସମ୍ପୃକ୍ତ ୪ ଜଣ ଯୁବକ ଦୁଇଟି ବାଇକରେ ଯାଇ ଭୁର୍କାମୁଡ଼ା ରେଳ ଲାଇନ ନିକଟରେ ଥିବା ଶିବଶକ୍ତି କମ୍ପାନିରେ ପଶିଥିଲେ। ସେଠାରେ କର୍ମରତ ଜଣେ ସୁପରଭାଇଜର ଓ ଅପରେଟରଙ୍କୁ ଲୁହା ରଡ଼ ଓ ପିସ୍ତଲ ଦେଖାଇ ଭୟଭୀତ କରି ତାଙ୍କ ପାଖରେ ଥିବା ଦୁଇ ଗୋଟି ମୋବାଇଲ ରେଶମୀ ୮ପ୍ରୋ ଓ ରେଶମୀ ୬ଆଇ ଏବଂ ୨ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଘଟଣା କାହାକୁ ଜଣାଇଲେ ଜୀବନରେ ମାରି ଦିଆଯିବ ବୋଲି ଧମକ ମଧ୍ୟ ଦେଇଥିବା ନେଇ ସୁପରଭାଇଜର ଅନ୍ତର୍ଯ୍ୟାମୀ ପାଡିଲ ୨୯ ତାରିଖ ଦିନ ବଡ଼ମାଲ ଥାନାରେ ଏତଲା ଦେଇଥିଲେ। ପୁଲିସ ଉଭୟ ମୋବାଇଲ ନମ୍ବର ଟ୍ରାକ କରି ସଂପୃକ୍ତ ଲୁଟେରାମାନଙ୍କୁ ଧରିବାରେ ସଫଳ ହୋଇଥିଲେ।
ଏମାନେ ବିକ୍ରି କରିଥିବା ଗୋଟିଏ ମୋବାଇଲ ଓ ତାଙ୍କ ପାଖରେ ଥିବା ମୋବାଇଲ ଜବତ ହୋଇଛି। ଏହା ସହିତ ୨ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଡକାୟତିରେ ବ୍ୟବହୃତ ଗୋଟିଏ ଟିଭିଏସ ଆପାଚି ନମ୍ବର ଓଡି ୧୫ ଡି ୭୮୫୮ କୁ ପୁଲିସ ଜବତ କରିଛି।
Powered by Froala Editor