୫ ଏକର ଜାଗାରେ ପରିବ୍ୟାପ୍ତ ବିଶ୍ୱର ବୃହତ୍ତମ ବୋଧିବୃକ୍ଷ, ଜାଣନ୍ତୁ ଏହି ବୃକ୍ଷ ବିଷୟରେ କିଛି ରୋଚକ ତଥ୍ୟ...

ବୌଦ୍ଧ ଧର୍ମରେ ବରଗଛକୁ ଅତି ପବିତ୍ର ବୋଲି ବିଶ୍ୱାସ କରାଯାଏ । ଗୌତମ ବୁଦ୍ଧଙ୍କ ଅନ୍ୟ ନାମ ବୋଧିସତ୍ତ୍ୱ । ବରଗଛ ମୂଳରେ ବସି ବୁଦ୍ଧ ତପସ୍ୟା କରୁଥିବାରୁ ବରଗଛକୁ ବୋଧିବୃକ୍ଷ ବୋଲି କୁହାଯାଏ । ତେବେ ଜାଣନ୍ତି କି ଆନ୍ଧ୍ରପ୍ରଦେଶର ଅନନ୍ତପୁରମ୍ଠାରେ ରହିଛି ଦୁନିଆର ସର୍ବ ବୃହତ୍ ବରଗଛ । ଏହାର ନାଁ ଥିମ୍ମାମ୍ମା ମାରିମାନୁ । ତେଲଗୁ ଭାଷାରେ ‘ମାରି’ର ଅର୍ଥ ବରଗଛ ଏବଂ ‘ମାନୁ’ର ଅର୍ଥ ଗଛର ଗଣ୍ଡି । ଏହି ଗଛ ଏତେ ବିଶାଳକାୟ ଯେ, ଏହାର ଡାଳ ପତ୍ର ପ୍ରାୟ ୫ ଏକର ଜାଗାକୁ ପରିବ୍ୟାପ୍ତ । ୧୯୮୯ ମସିହାରେ ଗିନିସ ବୁକ୍ ପକ୍ଷରୁ ଏହି ଗଛକୁ ଆକାରରେ ଦୁନିଆର ସର୍ବ ବୃହତ ଗଛ ଭାବେ ମାନ୍ୟତା ମିଳିଛି ।
କିମ୍ବଦନ୍ତୀ ଅନୁସାରେ ଏହି ଗଛର ନାମକରଣ ତିମ୍ମାମ୍ମା ନାମ୍ନୀ ଜଣେ ମହିଳାଙ୍କ ନାଁ ଅନୁସାରେ ହୋଇଛି । ଯିଏ କି ସତୀ ହେବା ପାଇଁ ନିଜକୁ ଅଗ୍ନି କୁଣ୍ଡରେ ସମର୍ପି ଦେଇଥିଲେ । ତାଙ୍କ ସତୀ ହେବା ପରେ ଏଠାରେ ଏହି ଗଛ ଉଠିଥିଲା । ତେଣୁ ଗଛଟିର ନାଁ ଥିମ୍ମାମ୍ମା ମାରିମାନୁ ରଖିଯାଇଛି ।
ଏହି ଗଛ ପାଖରେ ଏକ ଛୋଟ ମନ୍ଦିର ମଧ୍ୟ ସ୍ଥାପିତ ହୋଇଛି । ବିଶ୍ୱାସ କରାଯାଏ ଏହି ଗଛକୁ ପୂଜା କଲେ ନିଃସନ୍ତାନ ଦମ୍ପତିଙ୍କ ସନ୍ତାନ ଲାଭ ହୋଇଥାଏ । ସତ୍ୟନାରାୟଣ ଆୟାର ନାମକ ଜଣେ ସାମ୍ବାଦିକ ପ୍ରଥମେ ଏହି ଗଛଟିର ଫଟୋ ଉଠାଇଥିଲେ । ଏହା ପରେ ସେ ନିଜ ଚେଷ୍ଟାରେ ଏହି ଗଛଟିକୁ ବିଶ୍ୱର ସର୍ବ ବୃହତ୍ ଗଛ ବୋଲି ତଥ୍ୟ ପ୍ରମାଣ ଏକାଠି କରି ଗିନିସ ବୁକ୍ କତ୍ତୃପକ୍ଷଙ୍କ ଆଗରେ ଉପସ୍ଥାପନ କରିଥିଲେ । ମାରିମାନୁ ସହ ସତ୍ୟନାରାୟଣ ଆୟାରଙ୍କ ନାଁ ମଧ୍ୟ ଗିନିସ ରେକର୍ଡରେ ସ୍ଥାନ ପାଇଥିଲା ।
ଗିନିସ ବୁକ୍ରେ ଏହି ଗଛ ବିଷୟରେ ଉଲ୍ଲେଖ ଅଛି ଯେ, ଏହି ୫୫୦ ବର୍ଷ ପ୍ରାଚୀନ । ଏହାକୁ ରାଜ୍ୟ ସରକାର ସଂରକ୍ଷଣ କରୁଛନ୍ତି । ଏହା ପରକୁ ଆସୁଛି କୋଲକତାର ବଟାନିକାଲ ଗାର୍ଡେନ୍ ସ୍ଥିତ ଗ୍ରେଟ୍ ବାନିଅନ୍ ଟ୍ରି । ଏହି ଗଛଟି ମଧ୍ୟ ବେଶ୍ ୩ରୁ୪ ଏକର ସ୍ଥାନ ମଧ୍ୟରେ ପରିବ୍ୟାପ୍ତ ।
ଏହି ବିଶାଳ ବୃକ୍ଷ ଗୁଡିକୁ ଇଶ୍ୱରଙ୍କ ନିବାସ ମଧ୍ୟ କୁହାଯାଏ । ଏଠାରେ ଧ୍ୟାନ କରିବା ଦ୍ୱାରା ଆତ୍ମତୃପ୍ତି ଲାଭ ହୋଇଥାଏ ବୋଲି କୁହାଯାଏ । ତେଣୁ ଏହି ବୃକ୍ଷ ଦେଖିବାକୁ ବର୍ଷକୁ ବର୍ଷ ଲୋକମାନେ ଓ ମୁନୀଋଷିମାନେ ଆସିଥାନ୍ତି । ବର୍ତ୍ତମାନ ମଧ୍ୟ ବିଶେଷଜ୍ଞମାନେ ବୃକ୍ଷ ବିଷୟରେ ରିସର୍ଚ ଜାରି ରଖିଛନ୍ତି ।
Powered by Froala Editor