ଜଷ୍ଟିସ ଉଦୟ ଉମେଶ ଲଳିତ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ
କେନ୍ଦ୍ର ସରକାର ଜଷ୍ଟିସ ଉଦୟ ଉମେଶ ଲଳିତଙ୍କୁ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି। ଆଜି ତାଙ୍କ ନାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ମୋହର ମାରିଛନ୍ତି। ସୁପ୍ରିମକୋର୍ଟର ବର୍ତ୍ତମାନର ପ୍ରଧାନ ବିଚାରପତି ଏନଭି ରମନ୍ନା ଅଗଷ୍ଟ ୨୬ରେ ଅବସର ନେବେ। ଏହା ପରେ ଅଗଷ୍ଟ ୨୭ରେ ଜଷ୍ଟିସ ଲଳିତ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ଜଷ୍ଟିସ ଲଳିତଙ୍କ କାର୍ଯ୍ୟଦିବସ କେବଳ ୭୪ଦିନ ରହିବ। ଚଳିତ ବର୍ଷ ନଭେମ୍ବର ୮ରେ ସେ ଅବସର ନେବେ ।
ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନ ବିଚାରପତିଙ୍କ ସଚିବାଳୟକୁ ଏକ ପତ୍ର ପଠାଯାଇ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସୁପାରିସ କରିବାକୁ କୁହାଯାଇଥିଲା । ଏହାର ଉତ୍ତରରେ ପ୍ରଧାନ ବିଚାରପତି ଏନଭି ରମନ୍ନା ଜଷ୍ଟିସ ଉଦୟ ଉମେଶଙ୍କ ନାମ ସୁପାରିଶ କରିଥିଲେ।
ଜଷ୍ଟିସ ଉଦୟ ଉମେଶ ଲଳିତ ୧୯୫୭ ନଭେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୮୩ ଜୁନ୍ରେ ସେ ବମ୍ବେ ହାଇକୋର୍ଟରେ ଓକିଲାତି ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ ଦିଲ୍ଲୀ ପଳାଇ ଆସିଥିଲେ। ୨୦୦୪ରେ ଲିତଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବରିଷ୍ଠ ଓକିଲ ଭାବେ ନିଯୁକ୍ତ କରାଯାଇଥିଲା। ସିବିଆଇ ପକ୍ଷରୁ ଲଳିତ ସରକାରୀ ଓକିଲ ଭାବେ କାର୍ଯ୍ୟ କରିଛନ୍ତି। ପରେ ସୁପ୍ରିମକୋର୍ଟ ବାର ପକ୍ଷରୁ ତାଙ୍କୁ ବିଚାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୪ ଅଗଷ୍ଟ ୧୩ ତାରିଖରେ ଲଲିତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ଏବେ ଦୀର୍ଘଦିନର ଅଭିଜ୍ଞତା ସହ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି।
Powered by Froala Editor