ମହିଳାଙ୍କୁ ଗାଳି କରିବା ମହଙ୍ଗା ପଡ଼ିଲା, ରାଜନେତାଙ୍କ ଘରେ ଚାଲିଲା ବୁଲଡୋଜ

ନୋଏଡାର ଏକ ହାଉସିଙ୍ଗ୍ ସୋସାଇଟିରେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ରାଜନେତାଙ୍କ ଘର ଉପରେ ଚାଲିଛି ବୁଲଡୋଜର। ବିଜେପି କର୍ମୀ କହୁଥିବା ଶ୍ରୀକାନ୍ତ ତ୍ୟାଗୀ ଗତ ପସ୍ତାହରେ ନୋଏଡାରେ ଥିବା ହାଉସିଂ ସୋସାଇଟିରେ ଜଣେ ମହିଳାଙ୍କୁ ଅଭଦ୍ର ବ୍ୟବହାର କରିବା ସହ ଗାଳି ଗୁଲଜ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ବିବାଦ ଦେଖାଯାଇଥିଲା। ଏହାପରେ ପ୍ରଶାସନ ଜବରଦଖଲ ଉଚ୍ଛେଦ ନାଁରେ ତ୍ୟାଗୀଙ୍କ ଠିକଣାରେ ବୁଲଡୋଜର ଚଳାଇଛି।
ନୋଏଡା ପୁଲିସର ଗୋଟିଏ ଟିମ୍ ସହ ପ୍ରଶାସନ ବୁଲଡୋଜର ଧରି ଶ୍ରୀକାନ୍ତ ତ୍ୟାଗୀଙ୍କ ନୋଏଡା ସେକ୍ଟର ୯୩ ଠାରେ ଥିବା ଗ୍ରାଣ୍ଡ ଓମେକ୍ସ ପାଖରେ ପହଞ୍ଚିଥିଲା। ଏଠାରେ ତ୍ୟାଗୀ ବେଆଇନ ଭାବେ ନିର୍ମାଣ କରିଥିବା ଘରର ଆଗ ପଟ ଅଂଶକୁ ବୁଲଡୋଜର ଦ୍ୱାରା ଭାଙ୍ଗି ଦିଆଯାଇଛି। ପ୍ରଶାସନ ଏହାକୁ ଭାଙ୍ଗୁଥିବା ବେଳେ ସ୍ଥାନୀୟ ଲୋକମାନେ ନାରାବାଜୀ ଓ କରତାଳି ଦେଇ ସ୍ୱାଗତ କରିଥିଲେ।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ‘ଗ୍ରାଣ୍ଡ୍ ଓମାକ୍ସ୍ ସୋସାଇଟି’ରେ ବିଜେପି କିଷାନ୍ ମୋର୍ଚ୍ଚାର ସଦସ୍ୟ ତ୍ୟାଗୀ ଏବଂ ଜଣେ ମହିଳାଙ୍କ ମଧ୍ୟରେ ଚାରା ରୋପଣ କଥାକୁ ନେଇ ବିବାଦ ହୋଇଥିଲା। ସେ ସ୍ଥାନରେ ଚାରା ରୋପଣ ନିୟମ ବିରୁଦ୍ଧ ବୋଲି ମହିଳାଜଣକ ଆପତ୍ତି କରିଥିବା ବେଳେ ତ୍ୟାଗୀ କହିଥିଲେ ଯେ, ଚାରା ଲଗାଇବା ତାଙ୍କ ଅଧିକାରଭୁକ୍ତ। ଏହାପରେ ତ୍ୟାଗୀ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇ ପୁଲିସରେ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
Powered by Froala Editor