ବିଚାରାଧୀନ କଏଦୀ ଫେରାର ,ଜେଲ୍ ୱାର୍ଡର ନିଲମ୍ବିତ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯିବା ଘଟଣାରେ ଜଣେ ଜେଲ୍ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ହୋଇଥିବା ୱାର୍ଡରଙ୍କ ନାଁ କିରଣ ଯୋଶୀ। ଝାରସୁଗୁଡ଼ା ଉପ-କାରାଗାରର ଜେଲର ଲକ୍ଷ୍ମୀକାନ୍ତ ଧାଙ୍ଗଡ଼ ମାଝି ଏହି ସୂଚନା ଦେଇଛନ୍ତି।
ଫେରାର ହୋଇଥିବା ବିଚାରାଧୀନ କଏଦୀଙ୍କ ନାଁ ଇନ୍ଦ୍ରଜିତ୍ ସାହାଣୀ। ତାଙ୍କ ଘର ବିହାରର ବୋଧନା ଗାଁରେ। ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅଞ୍ଚଳରୁ ଏକ ଟ୍ରକ୍ ଚୋରି ଘଟଣାରେ ଗତ ୨୬ ତାରିଖରେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଥିଲା। ଜେଲ୍ରେ ଥିବା ବେଳେ ଗତ ୨୭ ତାରିଖରେ ସେ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ସେହିଦିନ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସେଠାରେ ପାଳି କରି ୩ ଜଣ ଜେଲ୍ ୱାର୍ଡର ଜଗୁଥିଲେ। ତେବେ ଗତକାଲି ଭୋରରେ ସେ ଡାକ୍ତରଖାନାରୁ କୌଣସି ମତେ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ସେହି ସମୟରେ ୱାର୍ଡର କିରଣ ଯୋଶୀ ଡ୍ୟୁଟିରେ ଥିଲେ।
ଇନ୍ଦ୍ରଜିତ ସାହାଣୀ ଫେରାର ହୋଇଯିବା ପରେ ୱାର୍ଡର କିରଣ ଯୋଶୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଘଟଣାର ତଦନ୍ତ କରାଯାଉଛି।
Powered by Froala Editor