ଏଣିକି ଦିନ-ରାତି ଉଡ଼ିପାରିବ ଜାତୀୟ ପତାକା
କେନ୍ଦ୍ର ସରକାର ଦେଶର ପତାକା ସଂହିତା (FLAG CODE)ରେ ବଡ଼ ପରିବର୍ତ୍ତନ କରିଛନ୍ତି । ନୂଆ ଗାଇଡଲାଇନରେ ଏଣିକି ଜାତୀୟ ପତାକା ଦିନ-ରାତି ସବୁ ସମୟରେ ଉଡ଼ାଯାଇ ପାରିବ। ଏବେ ପଲିଷ୍ଟର ଏବଂ ମେସିନ ନିର୍ମିତ ଜାତୀୟ ପତାକା ମଧ୍ୟ ବ୍ୟବହାର କରାଯାଇପାରିବ। ସ୍ବାଧୀନତାର ଅମୃତ ମହୋତ୍ସବ ଅନ୍ତର୍ଗତ ସରକାର ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ପ୍ରତି ଘରେ ତିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରଛନ୍ତି। ଏହାକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଇଛି।
ସମସ୍ତ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ବିଭାଗର ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି, ଭାରତର ଜାତୀୟ ପତାକାର ପ୍ରଦର୍ଶନ, ଉଡାଇବା ଏବଂ ଉପଯୋଗ ଇଣ୍ଡିଆନ ଫ୍ଲାଗ କୋଡ ୨୦୦୨ ଏବଂ ରାଷ୍ଟ୍ରୀୟ ଗୌରବ ଅପମାନ ନିବାରଣ ଅଧିନିୟମ ୧୯୭୧ ଅଧିନରେ ଆସିଥାଏ।
ଚିଠି ଅନୁଯାୟୀ, ଫ୍ଲାଗ କୋଡ ଅଫ ଇଣ୍ଡିଆ, ୨୦୦୨ ଆଦେଶରେ ୨୦ ଜୁଲାଇ, ୨୦୨୨ରେ ଏକ ସଂଶୋଧନ କରାଯାଇଛି । ଏହା ଅନୁସାରେ ବର୍ତ୍ତମାନ ଫ୍ଲାଗ କୋଡ ଅଫ ଇଣ୍ଡିଆର ୨୦୦୨ ର ଭାଗ-୨ର ଧାରା (୧୧) ବର୍ତ୍ତମାନ ନିମ୍ନଲିଖିତ ଭାବରେ ପଢ଼଼ାଯିବ, ପତାକା ଖୋଲା ସ୍ଥାନରେ ପ୍ରଦର୍ଶିତ ହେଉ କିମ୍ବା ନାଗରିକଙ୍କ ବାସଭବନରେ ପ୍ରଦର୍ଶିତ ହେଉ ତାହା ଦିନରାତି ଉଡ଼ିପାରିବ।
ଏହାପୂର୍ବରୁ, ଜାତୀୟ ପତାକାକୁ କେବଳ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉଡ଼ାଇବାକୁ ଅନୁମତି ଦିଆଯାଇଥିଲା।
Powered by Froala Editor