ସମ୍ପର୍କୀୟଙ୍କୁ ବୁଝାଇବାକୁ ଆସିଥିଲେ, ଫ୍ରିଜ୍ ଭିତରୁ ମିଳିଳା ଶବ
ଦିଲ୍ଲୀର ସୀଲମପୁର ଅଞ୍ଚଳରୁ ଶୁକ୍ରବାର ରାତିରେ ଜଣେ ବ୍ୟକ୍ତିଙ୍କ ଶବ ଫ୍ରିଜ୍ ଭିତରୁ ମିଳିଛି । ଏ ଘଟଣା ଜଣାପଡିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ଜାକିର। ସେ ଏହି ଅଞ୍ଚଳରେ ଏକାକୀ ନିଜ ଘରେ ରହୁଥିଲେ। ବିବାଦ କାରଣରୁ ତାଙ୍କ ପତ୍ନୀ ଓ ପିଲାମାନେ ଉକ୍ତ ଅଞ୍ଚଳର ଆଉ ଗୋଟିଏ ଘରେ ରହୁଥିଲେ। ଜାକିର ଏକାକୀ ଘରେ ରହୁଥିବାରୁ କେହି ଏହାର ଫାଇଦା ନେଇ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି। ଏଥିପାଇଁ ପୁଲିସ୍ ଗୋଟିଏ ଏଫଆଇଆର ରୁଜୁ କରି ହତ୍ୟାକାରୀଙ୍କୁ ଖୋଜିବା ଆରମ୍ଭ କରିଛି। ପ୍ରାଥମିକ ଅବସ୍ଥାରେ ପୂରା ଘଟଣା ପଛରେ କୌଣସି ଘନିଷ୍ଠ ସମ୍ପର୍କୀୟଙ୍କ ହାତ ରହିଥିବା ପୁଲିସ୍ ଜାଣିବାକୁ ପାଇଛି।
ପୁଲିସ୍ ଶୁକ୍ରବାର ରାତିରେ ଘଟଣା ସମ୍ପର୍କରେ ସୂଚନା ପାଇଥିଲା। ଜାକିରଙ୍କ ଜଣେ ସମ୍ପର୍କୀୟ ପିସିଆରକୁ ଫୋନ କରି ଘଟଣା ସମ୍ପର୍କରେ କହିଥିଲେ। ସମ୍ପର୍କୀୟ ଜଣଙ୍କ ପୁଲିସ୍କୁ କହିଛନ୍ତି ଯେ କିଛି ଦିନ ହେଲା ଜାକିର କାହା ସହ ଯୋଗାଯୋଗ କରୁ ନଥିଲେ। ନିଜକୁ ସବୁବେଳେ ଘର ଭିତରେ ବନ୍ଦ କରି ରଖୁଥିଲେ। ସେ କାହିଁକି ଏମିତି କରୁଛନ୍ତି ବୋଲି ସମ୍ପର୍କୀୟ ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ ବୁଝିବା ପାଇଁ ଜାକିରଙ୍କ ଘରକୁ ଆସିଥିଲେ। ହେଲେ ସେ ଘରେ ପହଞ୍ଚିଲା ବେଳକୁ ଜାକିର ଫ୍ରିଜ ଭିତରେ ମରି ପଡ଼ିଥିବା ଜାଣିବାକୁ ପାଇଥିଲେ।
Powered by Froala Editor