ରାଷ୍ଟ୍ରପତି ନିର୍ବାଚନ: ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବିଧାନସଭା ପରିଦର୍ଶନ କରିଛନ୍ତି । ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ କାର୍ୟ୍ୟର ସେ ସମୀକ୍ଷା କରିଛନ୍ତି । ଏହା ସହ ବିଧାନସଭା ଗୃହର ୫୪ ନଂ ପ୍ରକୋଷ୍ଠରେ ହୋଇଥିବା ଭୋଟିଂ କମ୍ପାଟମେଣ୍ଟ ଓ ଭୋଟରଙ୍କ ପ୍ରତୀକ୍ଷା କକ୍ଷ, ଗଣମାଧ୍ୟମ ପ୍ରତିନିଧିଙ୍କ ଖବର ସଂଗ୍ରହ ସ୍ଥାନ ପରିଦର୍ଶନ କରିଛନ୍ତି ।
ରାଷ୍ଟ୍ରପତି ନିର୍ବାଚନରେ ନିୟୋଜିତ ପୁଲିଙ୍ଗ ଅଧିକାରୀ, ସୁରକ୍ଷା ଅଧିକାରୀ ଓ ନିର୍ବାଚନ କାର୍ୟ୍ୟରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଶାନ୍ତିଶୃଙ୍ଖଳା ସହିତ ନିର୍ବାଚନ କାର୍ୟ୍ୟ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଭୋଟରମାନେ ଯେପରି ସୁରୁଖୁରୁରେ ମତଦାନ କରିପାରିବେ ସେ ନେଇ ସେ ପ୍ରତ୍ୟେକ ପୁଲିଙ୍ଗ ଅଧିକାରୀଙ୍କର କାର୍ୟ୍ୟ ସଂପର୍କରେ ଅବଗତ କରାଇଛନ୍ତି ।ଏହି ବୈଠକରେ ସହକାରୀ ରିଟଣ୍ଡିଂ ଅଧିକାରୀ ଆର . ରଘୁରାମ ଆୟାର ଓ ଗଙ୍ଗାଧର ମଲ୍ଲିକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ସମସ୍ତ ପୁଲିଙ୍ଗ ଅଧିକାରୀ, ବିଧାନସଭା ସୁରକ୍ଷା ଅଧିକାରୀ ଗୋପାଳ କୃଷ୍ଣ ବେହେରା, ଅତିରିକ୍ତ ଏସପି, ସହକାରୀ ମାର୍ଶାଲଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Powered by Froala Editor