ରତ୍ନ ସିଂହାସନରେ ବିରାଜିଲେ ଚତୁର୍ଦ୍ଧାମୂରତି, ବୁଧବାରଠୁ ନୀଳାଚଳ ଅବଢ଼ା
ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କ ସହ ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜମାନ କରୁଛନ୍ତି। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ବୁଧବାରଠାରୁ ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ବାହାରିବ।
ଆଜି ସଂନ୍ଧ୍ୟା ଧୂପ ପରେ ବିଜେ କାହାଳି ବାଜି ଥିଲା । ଆରମ୍ଭ ହୋଇଥିଲା ଗୋଟି ପହଣ୍ଡି। ପହଣ୍ଡି ପୂର୍ବରୁ ରତ୍ନ ସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ଯାଇଥିଲା। ଶ୍ରୀସୁଦର୍ଶନ ବିଜେ କରିବା ପରେ ପ୍ରଭୁ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ମହାପ୍ରଭୁମାନେ ରତ୍ନ ସିଂହାସନକୁ ଆସିବା ବେଳେ ଶୁଆଶାରୀ ଦେଉଳ ଠାରେ ପତିମହାପାତ୍ର ଘସା ବିଡ଼ିଆ ମଣୋହି ଓ ବନ୍ଦାପନା କରିଥିଲେ। ଜଗମୋହନ ଠାରେ ମଧ୍ୟ ସମାନ ନୀତି ଅନୁଷ୍ଠିତ ହୋଇଥିଲା।
ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରୁ ଚାର ଉପରକୁ ଓହ୍ଲାଇ ଥିଲେ। ସେପଟେ ଲକ୍ଷ୍ମୀ ଠାକୁରାଣୀ ମହାଜନଙ୍କ ହାତରେ ବିଜେ ହୋଇ ଭେଟ ମଣ୍ଡପ ଠାରେ ଖଟଶେଯ ମେକାପ ପକାଇଥିବା ଡମ୍ବରୁ ଉପରେ ବିଜେ କରିଥିଲେ। ରଥରେ ଶ୍ରୀଜଗନ୍ନାଥଙ୍କ ବନ୍ଦାପନା ହୋଇଥିଲା। ଏହା ପରେ ମା’ ଲକ୍ଷ୍ମୀଙ୍କ ବନ୍ଦାପନା ଭିତରଚ୍ଛ ମହାପାତ୍ର କରିଥିଲେ। ଏହାପରେ ଦେବୀ ଭଣ୍ଡାର ଘରକୁ ବିଜେ କରିଥିଲେ।
ତେବେ ବାହୁଡା ଦିନଠାରୁ ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଭୋଗ ଲାଗିହୋଇ ନ ଥିଲା। ମହାପ୍ରଭୁ ରଥ ଉପରେ ଥିବାରୁ ମହାପ୍ରଭୁଙ୍କୁ ଶୁଖୁଲି ମହାପ୍ରସାଦ ଲାଗି ହେଉଥିଲା। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବାପରେ ବୁଧବାର ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବ। ରଥଯାତ୍ରା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ପ୍ରଥମକରି ମହାପ୍ରସାଦ ଲାଗି ହେଉଥିବାରୁ ଏହାକୁ ନୀଳାଚଳ ଅବଢା ବୋଲି କୁହାଯାଇଥାଏ।
Powered by Froala Editor