କୋଭିଡ୍ ପରିଚାଳନା ସମୀକ୍ଷା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ୍ କୁମାର ତ୍ରିପାଠୀ ରାଉରକେଲା ଗସ୍ତ କରି ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଉପଲବ୍ଧ କୋଭିଡ ଚିକିତ୍ସା ବ୍ୟବସ୍ଥା, ଆଇସିୟୁ ବେଡ ଆଦି ବିଷୟରେ ପଚାରି ବୁଝିଛନ୍ତି । ଏହାସହ କୋଭିଡ କଲ ସେଣ୍ଟର ବୁଲିଛନ୍ତି ।
ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅସିତ୍ ତ୍ରିପାଠୀ କହିଥିଲେ, ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ବର୍ତ୍ତମାନ ଆବଶ୍ୟକ ସଂଖ୍ୟକ ଡାକ୍ତରଖାନା ଅଛି ଏବଂ ଏସବୁରେ ଅକ୍ସିଜେନ ଯୁକ୍ତ ବେଡ୍ ଓ ଆଇସିୟୁ ବେଡର ବ୍ୟବସ୍ଥା ରହିଛି । ଖୁବଶୀଘ୍ର ୯୦ଟି ଆଇସିୟୁ ବେଡ୍ ଏବଂ ୧୨୦ଟି ଅକ୍ସିଜେନଯୁକ୍ତ ବେଡ୍ ସ୍ଥାପନ କରାଯିବ। ବର୍ତ୍ତମାନ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଅକ୍ସିଜେନ ସିଲିଣ୍ଡର ଓ ଯଥେଷ୍ଟ ପରିମାଣରେ ଅକ୍ସିଜେନ ମହଜୁଦ ରହିଛି ।
ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲେ ଯେ, ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୫୦୦ ଅକ୍ସିଜେନ୍ ଶଯ୍ୟା ବିଶିଷ୍ଟ ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି । ଏହା ସୁନ୍ଦରଗଡ଼ ଜିଲ୍ଲା ଏବଂ ବିଶେଷକରି ରାଉରକେଲା ସହରରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଅଧିକ ସହାୟକ ହେବ। ତାଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ମଧ୍ୟ ଏହି ଗସ୍ତରେ ଆସିଥିଲେ। ସମୀକ୍ଷା ବେଳେ ଅତିରିକ୍ତ ଜିଲ୍ଲାପାଳ ଆବୋଲି ନରୱଣେ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ଏସପି ମୁକେଶ ଭାମୋ ଓ ସିଡିଏମଓ ଏସ.କେ.ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Powered by Froala Editor