ଅଫିସରଙ୍କ ଅହଂକାର ବଢିଯାଇଛି: ସୌମ୍ୟରଞ୍ଜନ ପଟ୍ଟନାୟକ
ଭୁବନେଶଶ୍ୱର: ସବୁବେଳେ ରୋକଠୋକ କଥା କହି ଚର୍ଚ୍ଚାରେ ରହୁଥିବା ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସୋମବାର ପୁଣି ଏକ ବଡ଼ ବୟାନ ଦେଇଛନ୍ତି । ଅଫିସରରାଜ ନେଇ ବିଧାନସଭା ବାହାରେ ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ ସରକାରୀ ଅଧିକାରୀମାନଙ୍କର ଅହଂକାର ବଢିଯାଇଛି । ଏହା ଉପରେ ଅଙ୍କୁଶ ନଲାଗିଲେ ଗଣତନ୍ତ୍ର ବିପଦରେ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ରାଜ୍ୟରେ ମଦ୍ୟପାନକାରୀଙ୍କ ହାର ନେଇ ଉତ୍ତର ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ ଏଭଳି କହିଛନ୍ତି ।
ଶୂନ୍ୟକାଳରେ ବିବୃତ୍ତି ରଖି ସୌମ୍ୟ କହିଛନ୍ତି ଯେ, ‘ବିଧାନସଭାରେ ସତ କିଏ କହୁଛି ପ୍ରଶ୍ନକର୍ତ୍ତା ନା ସରକାରୀ ଅଧିକାରୀ’ ? ରାଜ୍ୟରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ବଢୁଥିବା ନେଇ ପଚାରିଥିବା ପ୍ରଶ୍ନରେ ସରକାରୀ ଅଧିକାରୀ ରଖିଥିବା ତଥ୍ୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡ଼ିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସରକାରୀ ଅଧିକାରୀ ମାନେ ଭୁଲ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକ ମାନଙ୍କୁ ମିଛୁଆ ସଜେଇ ନ ଦିଅନ୍ତୁ । ମିଛୁଆ ହୋଇ ଆମେ ବିଧାନସଭାରେ ରହିବୁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ମଦ୍ୟପାନରେ ରାଜ୍ୟର ମହିଳାଙ୍କ ସଂଖ୍ୟା ବଢୁଛି ନା କମୁଛି ତାହା ମୁଁ ଜାଣି ପାରୁନି । ଜାତୀୟ ସ୍ତରରେ ୨୦୧୫-୧୬ ସର୍ଭେ ଅନୁଯାୟୀ ମହିଳା ମଦ୍ୟପାନ ହାର ୧.୨ ପ୍ରତିଶତ ଥିଲା । ତାହା ବଢି ୧.୩ ପ୍ରତିଶତ ବର୍ତ୍ତମାନ ସୁଦ୍ଧା ହୋଇଛି । ଓଡ଼ିଶାରେ ଏହା ୪.୩ ପ୍ରତିଶତ ରହିଛି । ଏହି ତଥ୍ୟ ଆଧାରରେ ରାଜ୍ୟସ୍ତରରେ ମହିଳା ମଦ୍ୟପାନ କମିଛି ନା ବଢିଛି । ଯଦି ଏହି ତଥ୍ୟକୁ ନେଇ ସରକାରୀ ଅଧିକାରୀ କହିବେ ରାଜ୍ୟର ମହିଳାଙ୍କ ମଦ୍ୟପାନ କମିଛି ତେବେ ଏଥିରୁ କଣ ବୁଝିବା ବୋଲି ସେ ପ୍ରଶ୍ନ କରିଛନ୍ତି।
ପ୍ରକାଶ ଯେ, ରାଜ୍ୟରେ ଅଫିସରରାଜ ଚାଲିଛି ବୋଲି ସବୁବେଳେ ଅଭିଯୋଗ ହୋଇଆସୁଛି । ନେତା ମନ୍ତ୍ରୀ ଏଠାରେ କିଛି କାମ କରୁନାହାନ୍ତି । ସବୁ କିଛି ଅଫିସରମାନେ କରୁଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଆସୁଛି । ତେବେ ଆଜି ସୌମ୍ୟଙ୍କ ଅଫିସରରାଜ ପ୍ରସଙ୍ଗରେ ମନ୍ତବ୍ୟ ଏହି ଚର୍ଚ୍ଚାକୁ କେତେ ବଳ ଯୋଗାଉଛି ତାହା ଦେଖିବାକୁ ବାକି ରହିଲା ।
Powered by Froala Editor