ଏଣିକି ପଜିଟିଭ ରିପୋର୍ଟ ନଥିଲେବି ପାଇବେ ଚିକିତ୍ସା

ଭୁବନେଶ୍ୱର : ଏଣିକି ପଜିଟିଭ ରିପୋର୍ଟ ନଥିଲେବି ଜଣେ କୋଭିଡ଼ ହସପିଟାଲରେ ଚିକିତ୍ସିତ ହୋଇପାରିବେ । ପୂର୍ବରୁ କେବଳ କରୋନା ଆକ୍ରାନ୍ତଙ୍କୁ ହିଁ ଚିକିତ୍ସିତ କରାଯାଉଥିଲା । ଫଳରେ ଯେଉଁମାନଙ୍କର କରୋନା ଲକ୍ଷଣ ଥିଲା ସେମାନେ କୋଭିଡ଼ ହସପିଟାଲରେ ଭର୍ତି ହୋଇପାରୁନଥିଲେ । କିନ୍ତୁ କେନ୍ଦ୍ର ସରକାର ଏହି ନିୟମକୁ ବଦଳାଇ ଦେଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛିଯେ, ପଜିଟିଭ ରିପୋର୍ଟ ନଥିଲେବି ଜଣେ କୋଭିଡ଼ ହସପିଟାଲରେ ଭର୍ତି ହୋଇପାରିବେ । କୌଣସି ରୋଗୀ ଯେଭଳି ସ୍ୱାସ୍ଥ୍ୟସେବାରୁ ବଂଚିତ ନହେବେ ତାହାକୁ ଆଖିଆଗରେ ରଖି ପୂର୍ବ ନିୟମରେ ପରିବର୍ତନ କରାଯାଇଛି । କୋଭିଡ଼ ଆକ୍ରାନ୍ତ ହେବାର ଆଶଙ୍କା ଥିବା ବ୍ୟକ୍ତିମାନଙ୍କୁ କୋଭିଡ଼ ହସପିଟାଲର ସ୍ୱତନ୍ତ୍ର ସେଲରେ ଚିକିତ୍ସା ସୁବିଧା ମିଳିବ । ଏପରିକି ଅନ୍ୟ ସହରର ହୋଇଥିଲେବି ସେମାନେ ହସପିଟାଲରେ ଭର୍ତି ହୋଇପାରିବେ । କୌଣସି ରୋଗୀଙ୍କୁ ଚିକିତ୍ସା ପାଇଁ ମନା କରାଯାଇପାରିବ ନାହିଁ ।
ସେହିପରି ଯଦି କୌଣସି ବ୍ୟକ୍ତିଙ୍କ ପାଖରେ କୌଣସି ବୈଧ ପରିଚୟନ ପତ୍ର ନଥିବ ତଥାପିବି ହସପିଟାଲରେ ସେମାନେ ଚିକିତ୍ସିତ ହୋଇପାରିବେ । କୋଭିଡ଼ ହସପିଟାଲରେ ଭର୍ତି ହେବା ପାଇଁ ‘ଆବଶ୍ୟକତା’କୁ ହିଁ ମାନଦଣ୍ଡ କରାଯାଇଛି । ତେବେ ନିହାତି ଆବଶ୍ୟକ ନଥିବା ଲୋକ ଯେଭଳି ଶଯ୍ୟା ମାଡ଼ିନବସନ୍ତି ତାହା ମଧ୍ୟ ସୁନିଶ୍ଚିତ କରିବାକୁ କୁହାଯାଇଛି ।
Powered by Froala Editor