୪ ଡମ୍ପର ଚୋରଙ୍କୁ ଧରି ଉତ୍ତମମଧ୍ୟମ ଦେଲେ ଲୋକେ
ଶନିବାର ସକାଳୁ ଯୋଡାର ବାମେବାରୀସ୍ଥିତ ହେସାବେଡା ଠାରୁ ଏକ ଡମ୍ପର ନଂ. ଓଆର୦୯କେ-୭୬୩୬କୁ ଚୋରି କରି ନେଇପଳାଉଥିବା ୪ଜଣ ସନ୍ଦିଗ୍ଧଙ୍କୁ ଧରି ଉତ୍ତମମଧ୍ୟମ ଦେଇଛନ୍ତି ଲୋକମାନେ । ଧରାପଡିଥିବା ଅଭିଯୁକ୍ତମାନେ ହେଲେ ଯୋଡା ଲକ୍ଷ୍ମୀପଡିଆର ଟୁକୁ ପାତ୍ର, ପିତା କନ୍ଦା ପାତ୍ର, ବଡବିଲ ଗାଢା ହାଟିଂର ମିଥୁନ ପାତ୍ର, ପିତା ନିରଞ୍ଜନ ପାତ୍ର, ଯୋଡା ବଜାରର ମହମ୍ମଦ ଅୟାଜ, ପିତା ମହମ୍ମଦ ଜସିର ଏବଂ ମହମ୍ମଦ ଦାନିଶ । ଝାଡଖଣ୍ଡସ୍ଥିତ ବଡଜାମଦାର ପାଣ୍ଡ୍ରାଶିଲି ବସ୍ତିର ଲୋକମାନେ ଡମ୍ପର ସହିତ ଏହି ୪ଜଣଙ୍କୁ ଧରି ନିସ୍ତୁକ ମାଡଦେବା ସହ ଏମାନଙ୍କୁ ବସ୍ତି ମଧ୍ୟରେ ହାତ ଗୋଡ ବାନ୍ଧି ରଖିଥିଲେ । ଜାମଦା ପୁଲିସ ଏମାନଙ୍କୁ ଅଟକ ରଖିଥିବା ବେଳେ ବାମେବାରୀ ପୁଲିସକୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି । ଏହି ଘଟଣାଟିରେ ଆଉ ୪ରୁ୫ଜଣ କାର ଯୋଗେ ଆସିଥିବା ବେଳେ ସେମାନେ ସେଠାରୁ ଖସିଯିବାରେ ସଫଳ ହୋଇଥିଲେ ।
ଘଟଣାରୁ ଜଣାପଡିଛି ଯେ, ଓଡିଶା, ବାମେବାରୀ ହେସାବେଡା ନିବାସୀ ସଞ୍ଜିବ ତିର୍କି ଏହି ଡମ୍ପରକୁ କିଣି ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ । ଶନିବାର ଡମ୍ପରଟି ପ୍ରତିଦିନ ଭଳି ହେସାବେଡା ଗ୍ରାମରେ ଠିଆ ହୋଇଥିବା ବେଳେ ଏହି ୪ଜଣ ଡମ୍ପରଟିକୁ ଚୋରି କରି ଝାଡଖଣ୍ଡର ବଡଜାମଦା ଦେଇ ବାହାରକୁ ପଳାଉଥିଲେ । ପୁଲିସ ଆଖିରେ ଧୂଳି ଦେବା ପାଇଁ ବଡଜାମଦାର ପାଣ୍ଡ୍ରାଶିଲି ରେଳ ସାଇଡିଂ ପୋଲ ନିକଟରେ ଏହି ଡମ୍ପରରେ ଏକ ଜାଲ ନମ୍ବର ଓଆର୦୯କେ-୬୧୬୫ ତିଆରି କରି ପ୍ଲେଟଟିକୁ ବଦଳାଉଥିବା ବେଳେ ଉକ୍ତ ଗ୍ରାମର ଲୋକମାନଙ୍କର ନଜର ପଡିଥିଲା । ଫଳରେ ଗ୍ରାମର ଲୋକେ ଏହି ୪ଜଣଙ୍କୁ ଘେରିଯାଇଥିବା ବେଳେ ଏକ କାରରେ ସେମାନଙ୍କୁ ରାସ୍ତା କଢେଇନେବା ପାଇଁ ଆସିଥିବା ଅନ୍ୟମାନେ ସେଠାରୁ ଫେରାର ହୋଇଯାଇଥିଲେ ।
ସୌଭାଗ୍ୟବଶତଃ ଡମ୍ପର ଚୋରି ହୋଇଥିବା ସଞ୍ଜିବ ତିର୍କିଙ୍କର ପତ୍ନୀ ସଙ୍ଗିତା ତିର୍କିଙ୍କ ବାପ ଘର ସେହି ପାଣ୍ଡ୍ରାଶିଲି ଗ୍ରାମରେ । ଡମ୍ପର ଚୋରି ପରେ ତିର୍କି ତାଙ୍କ ଶ୍ୱଶୁର ଘରକୁ ଏ ବିଷୟରେ ମଧ୍ୟ ଜଣାଇ ଡମ୍ପର ସମ୍ବନ୍ଧରେ ପତା ଲଗାଇବା ପାଇଁ କହିଥିଲେ । ଫଳରେ ଶ୍ୱଶୁର ଘର ଲୋକେ ଏଥିପାଇଁ ସଚେତନ ଥିଲେ । ପରେ ଡମ୍ପରଟି ସଞ୍ଜିବ ତିର୍କିଙ୍କ ବୋଲି ଜଣାପଡିଥିଲା । ଗ୍ରାମବାସୀମାନେ ପୁଲିସକୁ ଖବର ଦେବା ପରେ ପୁଲିସ ସେମାନଙ୍କୁ ଥାନାକୁ ନେଇଯାଇଥିଲେ । ସୂଚନାଯେ, ବଡଜାମଦା, ବଡବିଲ, ଯୋଡା କ୍ଷେତ୍ରରୁ ନିୟମିତ ଟ୍ରକ ଚୋରି ଘଟଣା ଘଟୁଛି ।
Powered by Froala Editor