ଲାଇଭ୍ ସୋ’ରେ ଟଳି ପଡ଼ିଲେ ପ୍ରସିଦ୍ଧ ଗାୟକ କେକେ
ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ (କେକେ ଭାବେ ଲୋକପ୍ରିୟ) ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଦେହାନ୍ତ ହୋଇଯାଇଛି। ୫୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି । ସେ କୋଲକାତାରେ ଏକ ଇଭେଣ୍ଟରେ ଲାଇଭ୍ ପରଫର୍ମ କରୁଥିବା ବେଳେ ହଠାତ ତଳେ ପଡି ଯାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। କେକେ ସାରା ଭାରତରେ ଜଣେ ଲୋକପ୍ରିୟ ଗାୟକ ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।
ସେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ବଙ୍ଗଳା ଆଦି ଭାଷାରେ ଅନେକ ଗୀତ ଗାଇଛନ୍ତି। ସେ ବିବାହିତ ଓ ତାଙ୍କର ଏକ ସନ୍ତାନ ଥିବା ସୂଚନା ମିଳିଛି। ବିଶିଷ୍ଟ କ୍ରିକେଟ ଖେଳାଳି ବୀରେନ୍ଦ୍ର ସେହ୍ବାଗ୍ ଓ ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାର ଓ କଣ୍ଠଶିଳ୍ପୀ ତଥା ବିଶିଷ୍ଟସଂଗୀତଜ୍ଞ ଅରମନ ମଲ୍ଲିକ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ଅରୂପ ବିଶ୍ୱାସ କହିଛନ୍ତି, 'ଗାୟକ ଅନୁପମ ରାୟ ମୋତେ ଫୋନ୍ କରି କହିଲେ ଯେ କେକେଙ୍କର ବିୟୋଗ ହୋଇଛି । ହସ୍ପିଟାଲକୁ ଅଣାଯିବା ବେଳେ ତାଙ୍କର ମୃତ୍ୟୁ ଘଟିଛି'।
କେକେଙ୍କର ଜନ୍ମ ଦିଲ୍ଲୀରେ ହୋଇଥିଲା । ବଲିଉଡର ହିଟ୍ ଟ୍ରାକ୍ ତଡ଼ପ ତଡ଼ପ (ହମ୍ ଦିଲ୍ ଦେ ଚୁକେ ସନମ୍, ୧୯୯୯), ଦସ୍ ବାହାନେ (ଦସ, ୨୦୦୫), ଏବଂ ତୁନେ ମାରି ଏଣ୍ଟ୍ରି (ଗୁଣ୍ଡେ, ୨୦୧୪), ଖୁଦା ଜାନେ (ବଚ ନା ଏ ହସିନୋ) ଭଳି ହିଟ୍ ଦେଇଥିଲେ। ଲାଇଭ୍ ସୋ' ପାଇଁ ସେ ଖୁବ୍ ଲୋକପ୍ରିୟ ଥିଲେ।
Powered by Froala Editor