ରାଜ୍ୟରେ ବିଳମ୍ବ ହେବ ମୌସୁମୀ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବର୍ଷା ବିଳମ୍ବ ହେବ । ମୌସୁମୀ କେରଳ ଛୁଇଁଥିଲେ ବି ଏହା ପ୍ରଭାବୀ ହୋଇ ଅଗ୍ରସର ହେଉନି। ଜୁନ୍ ୧୦ ପୂର୍ବରୁ ଓଡ଼ିଶାରେ ମୌସୁମୀ ବର୍ଷା ହେବନି । ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ କମ୍ ବର୍ଷା ହେବ। ବିହନ ବୁଣାବୁଣି ପାଇଁ ଏହା ଯଥେଷ୍ଟ ହେବନି । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ତେବେ ରାଜ୍ୟରେ ତାତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ କୁହାଯାଇଛି ।
ମୌସୁମୀ ରବିବାର କେରଳ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । କିନ୍ତୁ ଓଡ଼ିଶାରେ ମୌସୁମୀ ପହଞ୍ଚିବା ବିଳମ୍ବ ହୋଇପାରେ । ସ୍ଥଳଭାଗ ଆଡକୁ ମୌସୁମୀ ଆସିପାରୁନି । ମେ ୩୧ ଓ ୧ ତାରିଖ କେରଳ ଉପକୂଳରେ ବର୍ଷା ବଢ଼ିବ ଓ ପୁଣି କମିବ । ଜୁନ୍ ପ୍ରଥମ ସପ୍ତାହ ଯାଏ ମୌସୁମୀ ଦୁର୍ବଳ ରହିବ ଓ କମ୍ ବର୍ଷା ହେବ । ଜୁନ୍ ୧୦ ପୂର୍ବରୁ ରାଜ୍ୟକୁ ମୌସୁମୀ ଆସିବା ସମ୍ଭାବନା ନାହିଁ ।
ସେପଟେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ବିଭିନ୍ନ ସ୍ଥାନରେ ଅସହ୍ୟ ତାତି ଓ ପ୍ରବଳ ଗୁଳଗୁଳି ଅନୁଭୂତ ହୋଇଛି ।ତେବେ ପୂର୍ବ ବଙ୍ଗୋପସାଗରରେ ଗତ ୧୦ ଦିନ ହେବ ମୌସୁମୀ ସକ୍ରିୟ ରହିଛି । ଆସନ୍ତା ସପ୍ତାହ ଯାଏ ଏହା ଜାରି ରହିବ । ଫଳରେ ମିଆଁମାର, ଥାଇଲାଣ୍ଡ ଓ ଉତ୍ତର ପୂର୍ବ ଭାରତରେ ଭଲ ବର୍ଷା ହେବ ।
ଆଇଏମ୍ଡି ଆକଳନ ଅନୁସାରେ ଆଗାମୀ ୫ ଦିନ ଯାଏ କେରଳ ସମେତ ମାହେ (ପୁଡୁଚେରୀ), ଲାକ୍ଷାଦ୍ୱୀପ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ମେ ୨୯ରୁ ଜୁନ ୨ ମଧ୍ୟରେ କେରଳରେ ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଆଇଏମ୍ଡି ପକ୍ଷରୁ ତିରୁଅନନ୍ତପୁରମ,କୋଲମ, ପାଥନମଥିଟା, ଆଳପୁଝା, କୋଟ୍ଟାୟାମ, ଏର୍ଣ୍ଣାକୁଲମ ଓ ଇଡୁକି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
Powered by Froala Editor