ମିଳିଲା ନିଖୋଜ ବିମାନର ଧ୍ୱଂସାବଶେଷ
ନେପାଳ : ନେପାଳର ପର୍ଯ୍ୟଟନ ସହର ପୋଖରାରୁ ଯାତ୍ରା ଆରମ୍ଭ କରିଥିବା ତାରା ଏୟାରର ବିମାନ ଉଡିବାର ମାତ୍ର କେଇ ମିନିଟ ମଧ୍ୟରେ ହିମାଳୟ ପାର୍ବତ୍ୟ ଅଂଚଳରେ ଦୁର୍ଘଟଣାର ଶିକାର ହୋଇଥିଲା । କାଲି ହୋଇଥିବା ଏହି ଦୁର୍ଘଟଣା ପରେ ଏବେ ବିମାନଟିର ଧ୍ୱଂସାବଶେଷ ମିଳିଛି । ନେପାଳି ସେନା ମସ୍ଟୋଗରେ ଥାସାଙ୍ଗ-୨ର ସୋନେସବେୟରରେ ତାରା ଏୟାରର ଦୁର୍ଘଟଣାଗ୍ରସ୍ତ ବିମାନର ଠାବ କରିଛନ୍ତି । ଏହା ପୂର୍ବରୁ ଖରାପ ପାଗ ଓ ବାଦଲ ଘେରି ରହିଥିବାରୁ ବିମାନକୁ ଖୋଜିବା କଷ୍ଟକର ହୋଇଥିଲା । ଉକ୍ତ ବିମାନଟି ରାଜଧାନୀ କାଠମାଣ୍ଡୁରୁ ୨୦୦ କିଲୋମିଟର ପୂର୍ବରେ ସ୍ଥିତ ପୋଖରାରୁ ସକାଳ ୧୦ଟାରେ ଯାତ୍ରା ଆରମ୍ଭ କରିଥିଲା। ଏବେ ବିମାନ ଦୁର୍ଘଟଣା ସ୍ଥଳକୁ ଯାଇ ଏଥିରେ ଥିବା ଯାତ୍ରୀଙ୍କ ମୃତଦେହ ଖୋଜିବା କାମ ଆରମ୍ଭ କରାଯାଇଛି ।
ସୂଚନା ଅନୁସାରେ ସେଥିରେ ୨୨ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଅଛନ୍ତି । ନିଖୋଜ ବିମାନଟି ଘରୋଇ ଏୟାରଲାଇନ୍ ସଂସ୍ଥା ‘ତାରା ଏୟାର’ର । ଦୁଇଟି ଇଞ୍ଜିନ ବିଶିଷ୍ଟ ତାରା ଏୟାର ୯ ବିମାନଟି ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୨୦୦ କିମି ଦୂରରେ ଥିବା ପୋଖରାରୁ ଉଡାଣ ଭରିଥିଲା । ଏହା ଜୋମ୍ସୋମ୍ ଅଭିମୁଖେ ଯାତ୍ରା କରୁଥିବା ବେଳେ ନିଖୋଜ ହୋଇଯାଇଥିଲା । ବିମାନଟି ଜୋମସୋମରେ ପହଞ୍ଚି ସାରିଥିଲା । କିନ୍ତୁ ହଠାତ୍ ଏହା ରୁଟ୍ ବଦଳାଇ ଦେଇଥିଲା ଓ ନିଖୋଜ ହୋଇଯାଇଥିଲା । ସ୍ଥାନୀୟ ସମୟ ଅନୁସାରେ ସକାଳ ୯ଟା ୫୫ରେ ଏହା ସହିତ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।
Powered by Froala Editor