ସଙ୍ଗରୋଧରେ ରହିବେ ସ୍ମିଥ୍

ମୁମ୍ବାଇ: ତାରକା ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ ଷ୍ଟିଭ ସ୍ମିଥ ଶନିବାର ଦିଲ୍ଲୀ କ୍ୟାପିଟାଲସ ଦଳ ସହ ଯୋଗ ଦେଇଛନ୍ତି । ସେ ବାଧ୍ୟତାମୂଳକ ୭ ଦିନିଆ ସଙ୍ଗରୋଧରେ ରହିବେ । ରାଜସ୍ଥାନ ରୟାଲସ ଛାଡ଼ି ଦେଇଥିବା ଏହି ୩୧ ବର୍ଷ ବୟସ୍କ ତାରକାଙ୍କୁ ଏଥର ଖେଳାଳି ନିଲାମରେ ଦିଲ୍ଲୀ ୨.୨ କୋଟି ଟଙ୍କାରେ କିଣି ନେଇଥିଲା । ଶନିବାର ଭାରତ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଦିଲ୍ଲୀ କ୍ୟାପିଟାଲସ ତା’ର ପ୍ରସ୍ତୁତି ଶିବିର ଆରମ୍ଭ କରି ସାରିଛି । ଫଳରେ ସ୍ମିଥ ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାର୍କସ ଷ୍ଟୋଇନିସ ଅଭ୍ୟାସ ଆରମ୍ଭ କରିବା ପାଇଁ ଗୋଟିଏ ସପ୍ତାହ ଅପେକ୍ଷା କରିବେ । ଆଇପିଏଲ ଚତୁର୍ଦ୍ଧଶ ସଂସ୍କରଣରେ ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ ଆସନ୍ତା ୧୦ ତାରିଖ ଦିନ ଚେନ୍ନାଇ ସୁପର କିଙ୍ଗସ ସହ ଖେଳି ଅଭିଯାନ ଆରମ୍ଭ କରିବ । ୨୦୧୯ ରେ ପ୍ରଥମ କରି ରାଜସ୍ଥାନ ରୟାଲସ ଦଳରେ ସାମିଲ ହୋଇଥିବା ସ୍ମିଥ ୨୦୨୦ରେ ଅଧିନାୟକ ରହିଥିଲେ । ହେଲେ ୟୁଏଇରେ ଖେଳାଯାଇଥିବା ସେହି ସଂସ୍କରଣରେ ରାଜସ୍ଥାନ ଶେଷ ସ୍ଥାନରେ ରହିଥିଲା । ଏବେ ଦିଲ୍ଲୀ ଦଳରେ ସ୍ମିଥ ତାଙ୍କ ୨୦୧୧ ବିଶ୍ୱକପ ଦଳର ଅଧିନାୟକ ରିକି ପଣ୍ଟିଂଙ୍କ ସହ ଏକାଠି ହୋଇଛନ୍ତି । ସ୍ମିଥ ମଧ୍ୟ ଏଥର ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ଭାରତୀୟ ଯୁବ ୱିକେଟରକ୍ଷକ ରିଷଭ ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ ଦଳ ପାଇଁ ଖେଳିବେ ।