ଜେଲ୍ରେ କିରାଣି କାମ କରିବେ ସିଦ୍ଧୁ, ୫ ଘଣ୍ଟା ରହିବ ଡ୍ୟୁଟି
ଚଣ୍ଡିଗଡ଼: ନବଜୋତ ସିଂହ ସିଦ୍ଧୁ । କ୍ରିକେଟ୍ ଜଗତର ଏହି ଚର୍ଚ୍ଚିତ ଚେହେରାଙ୍କ ଜୀବନରେ ହଠାତ୍ ସବୁକିଛି ପରିବର୍ତ୍ତନ ହୋଇଛି । ରାଜଉଆସ ବଦଳରେ ତାଙ୍କ ଠିକଣା ଏବେ ପାଲଟିଛି ପଟିଆଲା ସେଣ୍ଟ୍ରାଲ୍ ଜେଲ୍ । ସେଠାରେ ସେ କିରାଣି ଭାବେ କାମ କରିବେ । ଜେଲ୍ ଅଫିସର କାଗଜପତ୍ର କାମ ଦେଖିବେ ।
କ୍ରିକେଟରରୁ ପଞ୍ଜାବ କଂଗ୍ରେସ ନେତା । ଆଉ ଏବେ ଏବେ ଜେଲର କିରାଣି । ୩୪ ବର୍ଷ ତଳର ରୋଡରେଜ୍ ମାମଲାରେ ବର୍ଷେ ଜେଲଦଣ୍ଡ ପରେ ବଦଳିଛି ସିଦ୍ଧୁଙ୍କ ଲାଇଫ ଷ୍ଟାଇଲ ।
ମଙ୍ଗଳବାରଠୁ ସିଦ୍ଧୁଙ୍କ ଡ୍ୟୁଟି ଆରମ୍ଭ ହୋଇଯାଇଛି । ପଟିଆଲା ସେଣ୍ଟ୍ରାଲ ଜେଲ୍ରୁ ଜାରି ଏକ ବିବୃତ୍ତି ମୁତାବକ, ସିଦ୍ଧୁଙ୍କୁ ଦୁଇଟି ସିଫ୍ଟରେ କାମ କରିବାକୁ ପଡିବ। ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ଣ ୧୨ଟା ଯାଏ ରହିବ । ଲଞ୍ଚ ବ୍ରେକ୍ ପରେ ମଧ୍ୟାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ଯାଏ ତାଙ୍କୁ ପୁଣି କାମ କରିବାକୁ ପଡିବ । ଦିନରେ ମୋଟ ୫ ଘଣ୍ଟା ଡ୍ୟୁଟି କରିବେ ସିଦ୍ଧୁ ।
ପ୍ରଥମ ତିନି ମାସ ସିଦ୍ଧୁଙ୍କୁ ଜେଲ ଅଫିସିଆଲ କାଗଜପତ୍ର କରିବା ପାଇଁ ତାଲିମ ଦିଆଯିବ । ଜେଲ ନିୟମ ଅନୁସାରେ ତାଙ୍କୁ ପ୍ରଥମ ତିନି ମାସ ବେତନ ମିଳିବ ନାହିଁ । କିରାଣି କାମରେ ତାଙ୍କର ଅଭିଜ୍ଞତା ନଥିବାରୁ ତାଙ୍କୁ ଅଣକୁଶଳୀ କଏଦୀ ଭାବେ ଗଣନା କରାଯିବ। ୩ ମାସ ପରେ ଅର୍ଦ୍ଧକୁଶଳୀ ହେବା ପରେ ତାଙ୍କୁ ଦିନକୁ ୩୦ ଟଙ୍କା ଲେଖାଏଁ ଦିଆଯିବ। କୁଶଳୀ ହୋଇଗଲେ ପ୍ରତିଦିନ ୯୦ ଟଙ୍କା ଲେଖାଏଁ ମିଳିବ। ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବେତନ ପଠାଯିବ ।
ପଟିଆଲା ସେଣ୍ଟ୍ରାଲ ଜେଲରେ ସିଦ୍ଧୁ ଜଣେ ହାଇପ୍ରୋଫାଇଲ କଏଦୀ ହୋଇଥିବାରୁ ସେ ତାଙ୍କ ସେଲରୁ ହିଁ ଫାଇଲ କାମ କରିବେ ବୋଲି ଜେଲର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି । ସିଦ୍ଧୁ ରହୁଥିବା ବାରାକର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ୫ ଜଣ ଓ୍ୱାଡେନ ଓ ଚାରି ଜଣ ଜେଲ ଅନ୍ତେବାସୀ ସିଦ୍ଧୁଙ୍କ ଉପରେ ନଜର ରଖିଛନ୍ତି ।
ସୂଚନାଯୋଗ୍ୟ, ୧୯୮୮ ମସିହାରେ ଏକ ପାର୍କିଂକୁ ନେଇ ଜଣେ ବୃଦ୍ଧଙ୍କ ସହ ସିଦ୍ଧୁଙ୍କ ଝଗଡ଼ା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସିଦ୍ଧୁ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଏହି ମାମଲାର ବିଚାରକରି ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
Powered by Froala Editor