ପତ୍ନୀଙ୍କୁ ୯୦ହଜାର ଟଙ୍କାର ମୋପେଡ ଉପହାର ଦେଲେ ଭିକାରୀ
ଭୋପାଳ : ମଧ୍ୟପ୍ରଦେଶର ଛନ୍ଦିୱାଡା ଜିଲ୍ଲାରୁ ଜଣେ ଭିକାରୀ ତାଙ୍କ ପତ୍ନୀଙ୍କୁ ୯୦ହଜାର ଟଙ୍କାର ମୋପେଡ ଉପହାର ଦେଇଛନ୍ତି । ୪ ବର୍ଷ ଧରି ସେ ଏହି ଟଙ୍କା ସଞ୍ଚୟ କରିଥିଲେ ଏବଂ ଗାଡିଟିକୁ ସଂପୂର୍ଣ୍ଣ ଭାବେ ନଗଦ ଟଙ୍କା ଦେଇ କିଣିଛନ୍ତି । ଛନ୍ଦିୱାଡା ଜିଲ୍ଲା ଅଧୀନସ୍ଥ ଅମରୱାଡା ଗ୍ରାମରେ ଏହି ଘଟଣା ଘଟିଛି । ଭିକାରୀ ସନ୍ତୋଷ ସାହୁ ଭିନ୍ନକ୍ଷମ । ତାଙ୍କ ଗୋଡ ଅଚଳ । ସେ ଏକ ତିନି ଚକିଆ ସାଇକେଲରେ ବସି ଭିକ୍ଷା କରନ୍ତି । ତାଙ୍କ ପତ୍ନୀ ମୁନ୍ନି ସାହୁ ତାଙ୍କୁ ଏଥିରେ ସହଯୋଗ କରନ୍ତି । ସନ୍ତୋଷଙ୍କ ଗୋଡ ଚଳୁନଥିବାରୁ ସେ କେବଳ ସାଇକେଲ୍ ଉପରେ ବସନ୍ତି କିନ୍ତୁ ମୁନ୍ନି ସାହୁ ସାଇକେଲକୁ ଦିନସାରା ଠେଲି ତାଙ୍କୁ ଭିକ୍ଷା କରିବାରେ ସହଯୋଗ କରନ୍ତି । ଖରାପ୍ ରାସ୍ତା ଏବଂ ଖରାପ ପାଣିପାଗ ପାଇଁ ସେମାନେ ଅନେକ ସମୟରେ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।
ସନ୍ତୋଷଙ୍କ ପତ୍ନୀ ମାତ୍ରାଧିକ ପରିଶ୍ରମ କରି ଅନେକ ସମୟରେ ଅସୁସ୍ଥ ହୋଇପଡନ୍ତି । ମୁନ୍ନିଙ୍କ ପିଠିରେ ଯନ୍ତ୍ରଣା ହେବାରୁ ସନ୍ତୋଷ ତାଙ୍କ ପାଇଁ ଏକ ଗାଡି କିଣି ଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଗାଡି କିଣିବା ଏତେ ସହଜ ନଥିଲା । ତେବେ ସନ୍ତୋଷ ଦୀର୍ଘ ୪ବର୍ଷ ସଞ୍ଚୟ କରିବା ପରେ ପତ୍ନୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମୋପେଡ କିଣିଛନ୍ତି, ଯାହାକି ଭିନ୍ନକ୍ଷମଙ୍କ ପାଇଁ ଉଦ୍ଧିଷ୍ଟ ।
ସନ୍ତୋଷ କହିଛନ୍ତି, ଆମେ ଏହି ଗାଡିରେ ଏବେ ସିଓନି, ଭୋପାଳ ଏବଂ ଇନେ୍ଦାର ଯାଇପାରିବୁ । ଜଣେ ଭିକାରୀ ହୋଇଥିଲେ ବି ସନ୍ତୋଷ ନିଜ ପତ୍ନୀଙ୍କ ଖୁସି ପାଇଁ ଯାହା କରିଛନ୍ତି ତାହାକୁ ଲୋକ ପ୍ରଶଂସା କରିଛନ୍ତି ଏବଂ ସନ୍ତୋଷଙ୍କ ଏହି କାର୍ଯ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Powered by Froala Editor