ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ଦନ୍ତା
ଟାଙ୍ଗୀ : ଦନ୍ତା ଆକ୍ରମଣରେ ମହିଳା ଗୁରୁତର। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ଅଧିନ ବରିକୋ-ବଧିସାହି ଗ୍ରାମରେ ଆଜି ସକାଳୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଏକ ଦନ୍ତା ହାତୀ ଜଣେ ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଛି। ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଟାଙ୍ଗୀ ବନ ବିଭାଗ ଅଧିନ ବରିକୋ-ବଧିସାହି ଗ୍ରାମର ଆଦର ବେହେରା ନିତ୍ୟକର୍ମ ପାଇଁ ନିକଟସ୍ଥ ନଈ ବନ୍ଧକୁ ଯାଇଥିଲେ। ଏହି ସମୟରେ ଏକ ଦନ୍ତା ହାତୀ ଆଦରଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଫଳରେ ମହିଳା ଜଣଙ୍କ ଚିତ୍କାର କରିଥିଲେ। ମହିଳାଙ୍କର ପାଟି ଶୁଣି ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ମହିଳାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ଵର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନରେ ବର୍ତ୍ତମାନ ୮ ଟି ଦନ୍ତାହାତୀ ବିଭିନ୍ନ ଜଙ୍ଗଲରେ ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।
Powered by Froala Editor