ବିନୟ କୁମାର ସକ୍ସେନା ଦିଲ୍ଲୀର ଉପ ରାଜ୍ୟପାଳ ନିଯୁକ୍ତ

ବିନୟ କୁମାର ସକ୍ସେନାଙ୍କୁ ଦିଲ୍ଲୀର ନୂତନ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତ ଦିନରେ ବ୍ୟକ୍ତିଗତ କାରଣ ଦର୍ଶାଇ ଅନିଲ ବୈଜଲ ଦିଲ୍ଲୀ ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ସୋମବାର ରାଷ୍ଟ୍ରପତି ଭବନ ଦ୍ଵାରା ଜାରି ନୋଟିସ୍ ଅନୁଯାୟୀ, ବିନୟ କୁମାର ସକ୍ସେନା ଦିଲ୍ଲୀର ଉପ ରାଜ୍ୟପାଳ ଭାବେ ପଦଭାର ଗ୍ରହଣ ଦିନ ହିଁ ଶପଥ ନେବେ।
ବିନୟ କୁମାର ସକ୍ସେନା ସଂପ୍ରତି ଖଦି ଏବଂ ଗ୍ରାମ୍ୟଦ୍ୟୋଗ ଅୟୋଗର ଅଧ୍ୟକ୍ଷ ଅଛନ୍ତି। ଗତ ସପ୍ତାହରେ ଅନୀଲ କୁମାର ବୈଜଲଙ୍କ ଇସ୍ତଫା ପରେ ଏହି ପଦ ଖାଲି ରହିଥିଲା । ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ବୈଜଲଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ଓ ସାକ୍ସେନାଙ୍କୁ ନୂଆ ଉପ-ରାଜ୍ୟପାଳ ନିଯୁକ୍ତ କରାଯାଇଥିବା ଦର୍ଶାଯାଇଛି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ବୈଜଲ ମୁହାଁମୁହିଁ ହୋଇ ଚର୍ଚ୍ଚାରେ ରହିଥିଲେ । କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ସେ ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟିକରୁଥିବା କେଜ୍ରିଓ୍ବାଲ ପୂର୍ବରୁ ଏକାଧିକ ଥର ଅଭିଯୋଗ କରିଥିଲେ ।
କିନ୍ତୁ ଆଜି କେଜ୍ରିଓ୍ବାଲ ଏକ ଟୁଇଟ୍ କରି ଲେଖିଛନ୍ତି ଯେ ବୈଜଲଙ୍କ ସହ ମିଶି ଦିଲ୍ଲୀ ପାଇଁ ବହୁତ କାମ କରାଯାଇଛି ଓ ଦିଲ୍ଲୀର ବହୁ ସମସ୍ୟାର ସମାଧାନ କରାଯାଇଛି । ସେ ଜଣେ ଉତ୍ତମ ବ୍ୟକ୍ତି ଥିଲେ । ତାଙ୍କର ଦୀର୍ଘ ଜୀବନ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି । ଅନ୍ୟ ଏକ ଟୁଇଟରେ କେଜ୍ରିଓ୍ବାଲ ନୂଆ ଉପ-ରାଜ୍ୟପାଳଙ୍କୁ ସ୍ବାଗତ ଜଣାଇଛନ୍ତି ।
Powered by Froala Editor