ଯମୁନେତ୍ରୀ ରାସ୍ତାରେ ଭୁଶୁଡ଼ିଲା ସେଫ୍ଟି ୱାଲ, ଫସିଛନ୍ତି ହଜାର ହଜାର ଯାତ୍ରୀ

ଉତ୍ତରାଖଣ୍ଡରେ ଚାରଧାମ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ତେବେ ଯମୁନେତ୍ରୀ ମନ୍ଦିରକୁ ଯାଇଥିବା ଜାତୀୟ ରାଜପଥର ସେଫ୍ଟି ଓ୍ୱାଲ ଭୁଶୁଡ଼ି ପଡ଼ିବା ପରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଥିବାରୁ ସେହି ଜାତୀୟ ରାଜପଥରେ ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକେ ଅଟକି ରହିଛିନ୍ତି। ଟ୍ରାଫିକ ବନ୍ଦ ଥିବାରୁ ପ୍ରାୟ ୧୦, ୦୦୦ ଲୋକେ ରାସ୍ତାର ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଏହା ପୁଣି ଥରେ ପୂର୍ବଭଳି ହେବାକୁ ପ୍ରାୟ ୩ ଦିନ ଲାଗିବ ବୋଲି କୁହାଯାଉଛି । ଅନ୍ୟପଟେ ଭିଡ଼ ଭିତରୁ ଛୋଟ ଛୋଟ ଗାଡ଼ି ଗୁଡ଼ିକୁ ସ୍ଥାନନ୍ତାର ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିଛି। ହେଲେ ବଡ଼ ବଡ଼ ଗାଡ଼ି ଗୁଡ଼ିକୁ ବାହାର କରିବାକୁ କାଠିକର ପାଠ ହୋଇପଡ଼ିଛି।
ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ ମୂଷଳଧାରାରେ ବର୍ଷା ସହ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ଡମୋଲୀରେ ମଧ୍ୟ ବର୍ଷା କାରଣରୁ ବଦ୍ରୀନାଥକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଦିଆଯାଇଛି । ସେପଟେ ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କ କାରଣରୁ ଯାତ୍ରା ସ୍ଲଟ୍ ପୂରଣ ହୋଇଯାଇଛି । ରେଜିଷ୍ଟ୍ରେସନକୁ ବନ୍ଦ କରି ଦିଆଯାଇଛି । ରହଣିରେ ଅସୁବିଧା ହେଉଥିବାରୁ ରେଜିଷ୍ଟ୍ରେସନ କାଉଣ୍ଟରେ ହଜାର ହଜାର ଯାତ୍ରୀ ବସି ରହିଥିବା ମଧ୍ୟ ଦେଖିବାକୁ ମିଳୁଛି ।
Powered by Froala Editor