ଏଥର ରାଜ୍ୟରେ ନିରାଶ କରିପାରେ ମୌସୁମୀ ବର୍ଷା
ଭୁବନେଶ୍ୱର: ଏଥର ରାଜ୍ୟରେ ମୌସୁମୀ ବର୍ଷା ନିରାଶ କରିପାରେ । ବର୍ଷା ସ୍ୱାଭାବିକ ହେବ ବୋଲି ଯେଉଁ ଆଶା ଥିଲା ତାହା ହେବନି । ସ୍ୱାଭାବିକଠାରୁ କମ୍ ବର୍ଷା ହେବ । ମୌସୁମୀ ବର୍ଷା ପ୍ରାୟ ୪୦% କମିଯିବ । ଜୁନ୍, ଜୁଲାଇ ଓ ଅଗଷ୍ଟରେ ବର୍ଷା ପରିମାଣ କମିଯିବ । ବଙ୍ଗୋପସାଗରରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା କମ୍ । ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଏହି ପୂର୍ବାନୁମାନ କରିଛନ୍ତି ।
ଆକଳନ କହୁଛି, ଜୁନ୍ରୁ ସେପ୍ଟେମ୍ବର ଭିତରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ କମ୍ ରହିବ । ଆକାଶରେ ମେଘ ସୃଷ୍ଟି ହେବ । ତାପମାତ୍ରା ବି କମିବ । କିନ୍ତୁ ବର୍ଷା କମ୍ ହେବ । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଯେଉଁ ବର୍ଷା ହୁଏ ତାହା ହେବନି । କେବଳ ପରିଚଳନ ଜନିତ ବର୍ଷା ହେବ । କିନ୍ତୁ ଅକ୍ଟୋବର ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଏହା ନିଅଣ୍ଟିଆ ବର୍ଷା ପରିମାଣକୁ କମାଇ ଦେବ ।
ଇଣ୍ଡିଆନ ଓସେନ୍ ଡାଏପୋଲ୍ (ଆଇଓଡି) ନେଗେଟିଭ୍ ରହିବା ଯୋଗୁ ବଙ୍ଗୋପସାଗରରେ ମୌସୁମୀ ଦୁର୍ବଳ ରହିବ । ଭାରତ ମହାସାଗରର ପଶ୍ଚିମ ଓ ପୂର୍ବ ଭାଗ ଭିତରେ ଜଳପତ୍ତନ ଉପରଭାଗର ତାପମାତ୍ରାରେ ତାରତମ୍ୟକୁ ଆଇଓଡି କୁହାଯାଏ । ମେ ମାସରେ ଏହି ତାପମାତ୍ରାର ତାରତମ୍ୟ-୦.୪ ସେଲସିୟସ୍ ଥିଲା । ଏହି ଅବସ୍ଥାକୁ ନିଉଟ୍ରାଲ ଫେଜ୍ କୁହାଯାଏ । ସେପ୍ଟେମ୍ବରରେ ଆଇଓଡି -୧.୫ସେଲସିୟସ୍ ରହିବ । ଆଇଓଡି ନେଗେଟିଭ୍ ରୂପରେ ରହିଲେ ଭାରତ ମହାସାଗରରେ ପଶ୍ଚିମା ପବନ ବହେ । ଏହାର ପ୍ରଭାବରେ ବଙ୍ଗୋପସାଗରରେ ମୌସୁମୀ ଦୁର୍ବଳ ରୁହେ ।
Powered by Froala Editor