ସେଲଫି ଉଠାଇବା ପଡ଼ିଲା ମହଙ୍ଗା, ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର
ବଲାଙ୍ଗିର : ଯେତେ ସଚେତନତା କରିଲେ ମଧ୍ୟ ଲୋକେ ଛାଡ଼ୁନାହାନ୍ତି ଅନୁଚିତ ସ୍ଥାନରେ ସେଲିଫି ଉଠାଇବାର ନିଶା । ଏହି ଛୋଟ ଛୋଟ ଭୁଲ ପାଇଁ ବଳିପଡ଼ୁଛି ନିରିହ ଜୀବନ । ଟିକିଏ ଅସାବଧାନତା ଯୋଗୁ ଜଣେ ଯୁବକ ଏବେ ଜୀବନମରଣ ସହିତ ସଂଘର୍ଷ କରୁଛନ୍ତି । ଆଉ ତାଙ୍କର ଏଭଳି ଅବସ୍ଥା ହୋଇଛି ରେଳ ଷ୍ଟେସନରେ ସେଲ୍ଫି ନେବା ବେଳେ । ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଲୱେ ଷ୍ଟେସନରେ ।
ଗୁରୁତର ଆହତ ଏହି ଯୁବକଙ୍କ ନାଁ ଦୀପକ ମେହେର । ତାଙ୍କୁ ୨୦ ବର୍ଷ ହୋଇଛି । ତାଙ୍କ ଘର ସୋନପୁର ଜିଲ୍ଲା ଖରଜୁରା ଗାଁରେ । ସେ ସାଙ୍ଗମାନଙ୍କ ସହିତ ନଅଗାଁ(ଖ) କୁ ଯାତ୍ରା ଦେଖିବାକୁ ଆସିଥିଲେ । ଯାତ୍ରା ସରିବା ପରେ ଲୋଇସିଂହା ରେଲୱେ ଷ୍ଟେସନକୁ ସାଙ୍ଗମାନଙ୍କ ସହିତ ସେଲଫି ଉଠାଇବାକୁ ଯାଇଥିଲେ ।
ରେଲୱେ ଷ୍ଟେସନରେ ଛିଡା ହୋଇଥିବା ଏକ ମାଲଗାଡି ଉପରକୁ ଦୀପକ ଚ?ି ସେଲଫି ଉଠାଉଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ବିଦ୍ୟୁତ୍ ଆଘାତରେ ସେ ତଳେ ପଡି ଯାଇଥିଲେ । ଗୁରୁତର ଦୀପକଙ୍କୁ ତାଙ୍କ ସାଙ୍ଗମାନେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ନେଇ ଆସିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତର ରାଉରକେଲା ଆଇ.ଜି.ଏଚକୁ ରେଫର କରିଥିଲେ । ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ସେଲଫି ଉଠାଉଥିବା ସମୟରେ ଏହି ଘଟଣା ଘଟିଥିବା ଲୋଇସିଂହା ରେଲୱେ ଷ୍ଟେସନର କର୍ମଚାରୀଙ୍କ ଠାରୁ ସୂଚନା ମିଳିଛି ।
Powered by Froala Editor