ଖୁବଶୀଘ୍ର ବିଜେଡ଼ି ଯିବେ ଦେବାଶିଷ ନାୟକ
ଭୁବନେଶ୍ୱର : ଖୁବଶୀଘ୍ର ବିଜେଡ଼ିରେ ଯୋଗଦେବେ ଅପରାଜିତାଙ୍କ ଡାହାଣ ହାତ ଦେବାଶିଷ ନାୟକ । ଗତ କିଛିଦିନ ଧରି ସେ ଅପରାଜିତାଙ୍କ ଶିବିରରୁ ମୁହଁ ଫେରାଇ ନୂଆ ରଣନୀତି କରୁଥିବା ଜାଣିବାକୁ ମିଳିଛି ।
ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପରେପରେ ଆଉ ଦେବାଶିଷଙ୍କୁ ଅପରାଜିତାଙ୍କ ସହ ଦେଖିବାକୁ ମିଳିନଥିଲା । ପୂର୍ବରୁ ଅପରାଜିତାଙ୍କ ସମସ୍ତ କାର୍ଯ୍ୟକ୍ରମରେ ଦେବାଶିଷ ଆଗଧାଡ଼ିରେ ରହୁଥିଲେ । ସାଂସଦଙ୍କ ସମସ୍ତ ଗସ୍ତର ସଫଳ ରୂପାୟନ ତାଙ୍କ ହାତରେ ହିଁ ନ୍ୟସ୍ତ କରାଯାଉଥିଲା । ସେହିପରି ଅପରାଜିତାଙ୍କ ମାନସ ସଂଗଠନ ୟୁଥ ଫର ଆକ୍ସନର ସେ ଓଡ଼ିଶା ମୁଖ୍ୟ ଥିଲେ । ସାରା ରାଜ୍ୟରେ ସେ ଘୂରିବୁଲି ଅପରାଜିତାଙ୍କ ପାଇଁ ସଂଗଠନ କରୁଥିଲେ । କିନ୍ତୁ ଅପରାଜିତାଙ୍କ କାର୍ଯ୍ୟଧାରା ପ୍ରତି ସେ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି । ମହାନଗର ନିଗମ ନିର୍ବାଚନ ପରେପରେ ତାଙ୍କୁ ଆଉ ଅପରାଜିତାଙ୍କ ଅଫିସ କିମ୍ବା କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ । ଯାହାକୁ ନେଇ ଅପରାଜିତାଙ୍କ ରାଜନୀତିକ ଅଳିନ୍ଦରେ ଜୋରଦାର ଚର୍ଚ୍ଚା ହୋଇଆସୁଛି । ଜିମ ବାପି ନାମରେ ପରିଚିତ ଦେବାଶିଷଙ୍କର ଭଲ ସଂଗଠନ ରହିଛି । ତାଙ୍କ ହାତରେ ପ୍ରାୟ ୫ ହଜାରରୁ ଉଦ୍ଧ୍ୱର୍ ଯୁବକ ରହିଛନ୍ତି ।
ତାଙ୍କର ସାଂଗଠନିକ ଦକ୍ଷତାକୁ ଦେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ତାଙ୍କୁ ପାଖେପାଖେ ରଖୁଥିଲେ । ଅପରାଜିତାଙ୍କ ବିଜୟରେ ବି ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ତେଣୁ ଅପରାଜିତା ବି ତାଙ୍କୁ ଗୁରୁତ୍ୱ ଦେଇ ଆସୁଥିଲେ । ତେବେ ସାଂସଦ ହେବା ପରେ ଅପରାଜିତା ଏକଲା ଚଲୋ ନୀତି ଆପଣାଇବାରୁ ତାଙ୍କର ଅନେକ ସମର୍ଥକ ରାଜନୈତିକ ଫାଇଦା ପାଇବାରୁ ବଂଚିତ ହୋଇଥିଲେ । ମହାନଗର ନିଗମ ନିର୍ବାଚନ ବେଳେ ସେ ପରୋକ୍ଷ ଭାବେ ରାଜ୍ୟ ବିଜେପି ନେତୃବୃନ୍ଦ ଓ ଅପରାଜିତାଙ୍କୁ ସମାଲୋଚନା କରିଥିଲେ । ଅପରାଜିତାଙ୍କ ହାତ ଛାଡ଼ି ଦେଇଥିବାରୁ ବାପିଙ୍କୁ ନେବା ପାଇଁ ବିଜେଡ଼ି ନେତାମାନେ ଉଦ୍ୟମ ଆରମ୍ଭ କରିଦେଇଥିଲେ । କେତେକ ପ୍ରଭାବଶାଳୀ ବିଜେଡ଼ି ନେତାଙ୍କ ସହ ତାଙ୍କର ପ୍ରାରମ୍ଭିକ ଆଲୋଚନା ହୋଇସାରିଛି । ତେଣୁ ଖୁବଶୀଘ୍ର ସେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋରଧରିଛି ।
Powered by Froala Editor