ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ବର: ଆଜିଠୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବ । ଆଜିଠୁ ମେ ୩୧ ତାରିଖ ପର୍ୟ୍ୟନ୍ତ ପରୀକ୍ଷା ଚାଲିବ । ଦୁଇବର୍ଷ ପରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରରେ ସୁରକ୍ଷିତ ରଖିବା ଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଓ ପରୀକ୍ଷା ଖାତା ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସାରିଛି । ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ପର୍ୟ୍ୟନ୍ତ ଚାଲିବ । ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୧୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯିବ । ପ୍ରଥମ ଦିନ କଳା ଓ ବାଣିଜ୍ୟ ବିଭାଗର ଏମ୍ଆଇଏଲ୍ (ଓଡ଼ିଆ) ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । କୋଭିଡ୍ କଟକଣା ମଧ୍ୟରେ ହେବ ପରୀକ୍ଷା ।
ଚଳିତ ବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ପରୀକ୍ଷାର୍ଥୀ ଯୁକ୍ତଦୁଇ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ କଳା ବିଭାଗରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ, ବିଜ୍ଞାନ ବିଭାଗରେ ୭୮ ହଜାର ୦୭୭ ଜଣ, ବାଣିଜ୍ୟ ବିଭାଗରେ ୨୪ ହଜାର ୧୩୬ ଜଣ ଏବଂ ୫ହଜାର ୮୬୩ ଜଣ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀ ରହିଛନ୍ତି । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା ପାଇଁ ୧,୧୩୩ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ପରୀକ୍ଷା ପରିଚାଳନା ହବ୍ (ନୋଡାଲ୍ ସେଣ୍ଟର) କରାଯାଇଛି ।ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ମନା । ଏହି କଣ୍ଟ୍ରୋଲ ରୁମ ମେ ୩୧ ତାରିଖ ପର୍ୟ୍ୟନ୍ତ ଚାଲୁ ରହିବ ।
Powered by Froala Editor