ଆସିଲା କଡ଼ା ଚେତାବନୀ, ନମାନିଲେ ବନ୍ଦ ହୋଇଯିବ ନ୍ୟୁଜ୍ ଚ୍ୟାନେଲ
ଜାହାଙ୍ଗୀରପୁର ହିଂସା ଏବଂ ୟୁକ୍ରେନ୍ ସମ୍ବଦ୍ଧିତ କଭରେଜକୁ ନଜରରେ ରଖି କେନ୍ଦ୍ର ସରକାର ଶନିବାର ସମସ୍ତ ଟିଭି ଚ୍ୟାନେଲକୁ କଡ଼ା ଚେତାବନୀ ଦେଇଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ, ଜାହାଙ୍ଗୀରପୁରୀ ବିବାଦ ଏବଂ ଲାଉଡସ୍ପିକର ଉପରେ ଚାଲିଥିବା ବିତର୍କକୁ ନେଇ ଯେଉଁଭଳି ଭାବେ ଖବର ପ୍ରକାଶିତ ବା ପ୍ରସାରଣ କରାଯାଉଛି, ଏହାକୁ ନେଇ ଆପତ୍ତି ଉଠାଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ବିଭିନ୍ନ ନିଉଜ୍ ଚ୍ୟାନେଲରେ ଏହି ସବୁ ପ୍ରସଙ୍ଗକୁ ନେଇ ପ୍ରସାରିତ ହେଉଥିବା ଖବର ଉପରେ ଲଗାମ ଲଗାଇବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆଡଭାଇଜରୀ ଜାରି କରିଛି। ଗାଇଡଲାଇନରେ ଉତ୍ତେଜକ ତଥା ସାମାଜିକ ବିରୋଧୀ ହେଡଲାଇନରୁ ଦୂରେଇ ରହିବାକୁ କୁହାଯାଇଛି। କେବୁଲ ଟେଲିଭିଜନ ନେଟୱାର୍କ (ରେଗୁଲେସନ ଆକ୍ଟ) ୧୯୯୫ର ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରନ୍ତୁ ବୋଲି କେନ୍ଦ୍ର କହିଛି। ଯଦି କୌଣସି ଟିଭି ଚ୍ୟାନେଲ ଆପତ୍ତିଜନକ, ଭ୍ରମାତ୍ମକ ବା କୌଣସି ତଥ୍ୟ ଯାହା ନିୟମର ଉଲଙ୍ଘନ କରୁଥିବ, ଯଦି ସେହିଭଳି କିଛି ଦୃଶ୍ୟ ଦେଖାନ୍ତି ତେବେ ଉକ୍ତ ଟିଭି ଚ୍ୟାନେଲ ବନ୍ଦ ହୋଇଯିବ ବୋଲି ଚେତାବନୀ ଦିଆଯାଇଛି ।
ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ଏହି ନିର୍ଦ୍ଦେଶ ପାଳନ ନହୁଏ ତେବେ ଉତ୍ତେଜନା ସୃଷ୍ଟି କଲା ଭଳି ଖବର ପ୍ରସାରିତ କରୁଥିବା ଚ୍ୟାନେଲକୁ ନିଷିଦ୍ଧ କରାଯିବ। ଆଡଭାଇଜରୀରେ ଏହା ଉଲ୍ଲେଖ କରାଯାଇଛି ଯେ ଯଦି କୌଣସି ଟିଭି ଚ୍ୟାନେଲ ନିର୍ଦ୍ଦେଶନାମା ପାଳନ ନକରନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଋଷିଆ ୟୁକ୍ରେନ୍ ଯୁଦ୍ଧକୁ ନେଇ ସରକାର କହିଛନ୍ତି ଯେ, ଏଭଳି କିଛି ହେଡଲାଇନ୍, ଟ୍ୟାଗଲାଇନ ଏବଂ ମିଥ୍ୟା ତଥ୍ୟ ଉପସ୍ଥାପନ କରାଯାଇଛି ଯାହା ଖବର ସହିତ ସମ୍ପୂର୍ଣ୍ଣ ଜଡ଼ିତ ନୁହେଁ । କିଛି ଚ୍ୟାନେଲର ଆଙ୍କର ଏବଂ ରିପୋର୍ଟର ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ମନଗଢ଼ା କଥା ସବୁ କହିଥିଲେ । ଠିକ୍ ସେହିଭଳି ଘଟଣା ଜାହାଙ୍ଗୀରପୁରୀ ମାମଲାରେ ମଧ୍ୟ ଦେଖିବାକୁ ମିଳିଛି । କିଛି ଚ୍ୟାନେଲ ହିଂସା ଉସୁକାଉଥିବା ଦେଖିବାକୁ ମିଳିଛି । ଏହି କାରଣରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଟିଭି ଚ୍ୟାନେଲକୁ ଏହି ଆଡଭାଇଜରୀ ଜାରି କରିଛି।
Powered by Froala Editor