ଶିହା ମସଜିଦରେ ବିସ୍ଫୋରଣ, ୧୧ ଜଣଙ୍କ ମୃତ୍ୟୁ

ଆଫଗାନିସ୍ତାନର ମଜାର-ଇ-ଶରିଫରେ ଥିବା ଗୋଟିଏ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ଆଫଗାନୀ ମିଡିଆ ଟୋଲୋ ନ୍ୟୁଜ୍ରେ ଖବର ପ୍ରକାଶ ପାଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ମଧ୍ୟ କରାଯାଇଛି।
ଏହି ମସଜିଦଟି ଶିହା ସଂପ୍ରଦାୟର ଲୋକମାନେ ବ୍ୟବହାର କରନ୍ତି। ଆଫାଗନିସ୍ତାନରେ ଶାସନ କରୁଥିବା ତାଲିବାନ ସରକାରର ଜଣେ ମୁଖପାତ୍ର କହିଛନ୍ତି, ଗୋଟିଏ ଶିହା ମସଜିଦ ଭିତରେ ବିସ୍ଫୋରଣ ହୋଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ କାର୍ ଓ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଛି। ସାଇ ଡୋକେନ ମସଜିଦରେ ଲୋକମାନେ ସମୂହ ନମାଜ ପାଠ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ହିଁ ବିସ୍ଫୋରଣ ହୋଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଥିବା ସେ କହିଛନ୍ତି।
କିଛିଦିନ ତଳେ ଆଫଗାନିସ୍ତାନର ଏକ ସ୍କୁଲ୍ରେ ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ। ଆଫ୍ଗାନ୍ ଶିହା ସମ୍ପ୍ରଦାୟର ଏକ ପୁରୁଣ ଅଧିବାସୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା ବୋଲି ମିଡିଆରେ ଖବର ପ୍ରକାଶ ପାଇଥିଲା।
Powered by Froala Editor