ରୁଷ-ୟୁକ୍ରେନ୍ ଯୁଦ୍ଧ: ନିହତ ହେଲେଣି ୨୩ ହଜାର ଯବାନ

କିଭ୍: ରୁଷ-ୟୁକ୍ରେନ୍ ଭିତରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଉଭୟ ଦେଶ ନିଜ ଜିଦ୍ରେ ଅଟଳ ରହିଛନ୍ତି । କେହି କାହାରି ପାଖରେ ଆତ୍ମ ସମର୍ପଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଫଳରେ ଯୁଦ୍ଧ ଅବଧି ବଢ଼ି ଚାଲିଛି । ଏହା କେବେ ସମାପ୍ତି ହେବ ତାହା କାହାରିକୁ ଜଣାନାହିଁ । ଇତିମଧ୍ୟରେ ଉଭୟ ଦେଶର ପାଖାପାଖି ୨୩ ହଜାର ଯବାନ ନିହତ ହେଲେଣି । ଅନେକ ଗୁରୁତର ହୋଇ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରୁଛନ୍ତି ।
ନିକଟରେ ଏକ ସାକ୍ଷାତକାରରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତି, ଯୁଦ୍ଧ ପାଇଁ ମୁଁ ମର୍ମାହିତ । ଏହା ମୋ ପାଇଁ ଯନ୍ତ୍ରଣାଦାୟକ । ପ୍ରତିଦିନ ଶହ ଶହ ସାଧାରଣ ଲୋକଙ୍କ ଜୀବନ ଯାଉଛି । ଅନେକ ଯବାନ ଆହତ ହେଉଛନ୍ତି । ଧ୍ୱଂସସ୍ତୂପ ତଳୁ ଶହ ଶହ ମୃତଦେହ ମିଳୁଛି । ଯୋଗାଯୋଗ ବିଚ୍ଛିନ୍ନ ଥିବାରୁ ମୃତକଙ୍କ ପ୍ରକୃତ ସଂଖ୍ୟା ଆକଳନ କରିବା କଷ୍ଟସାଧ୍ୟ । ଯୁଦ୍ଧରେ ୟୁକ୍ରେନର ପ୍ରାୟ ୩ ହଜାର ସୈନ୍ୟଙ୍କୁ ହରାଇଛି । ଆହତ ହୋଇଥିବା ୧୦ ହଜାର ଯବାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଅନେକ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି । ସେହିପରି ରୁଷ ମଧ୍ୟ ଯୁଦ୍ଧରେ ୧୯ରୁ ୨୦ ହଜାର ଯବାନଙ୍କୁ ହରାଇଲାଣି ।
ଜେଲେନସ୍କି କହିଛନ୍ତି, ରୁଷ ପକ୍ଷରୁ କେବଳ ପ୍ରତିଶୋଧ ଓ ହତ୍ୟା ପାଇଁ ଆକ୍ରମଣ କରାଯାଉଛି । ଏହା ସତ୍ତ୍ୱେ ମଧ୍ୟ ଆମେ ସମସ୍ତେ ଲଢ଼େଇ କରୁଛୁ ଓ ଆଗକୁ ମଧ୍ୟ କରିବୁ । ଆମେ ଜାଣିନୁ ଏ ଯୁଦ୍ଧ କେତେଦିନ ଚାଲିବ । କିଛି ଲୋକ କହୁଛନ୍ତି ସପ୍ତାହେ ତ ଆଉ କିଛି କହୁଛନ୍ତି ଯୁଦ୍ଧ ବର୍ଷବର୍ଷ ଧରି ଚାଲିବ । ଯୁଦ୍ଧ ଯେତେଦିନ ଚାଲିବ, ଆମେ ଲଢ଼େଇ କରିବାକୁ ପ୍ରସ୍ତୁତ ରହିଛୁ ।
ଜାତିସଂଘ ମାନବାଧିକାର କମିଶନର ସୂଚନା ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ୟୁକ୍ରେନରେ ୨ ହଜାର ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି । ସେହିପରି ୟୁକ୍ରେନ ଅଧିକାରୀଙ୍କ କହିବା କଥା ରୁଷ ଯୁଦ୍ଧରେ ୧୮,୬୦୦ ଯବାନଙ୍କୁ ହରାଇଛି । ୩ ସପ୍ତାହ ତଳେ ନାଟୋ ୧୫ ହଜାର ରୁଷ ଯବାନଙ୍କ ମୃତ୍ୟୁ ଘଟିଥିବା କହିଥିଲା । ରୁଷ ମଧ୍ୟ ଗତ ମାସରେ ୧୩୫୧ ଜଣ ଯବାନ ଯୁଦ୍ଧରେ ପ୍ରାଣ ହରାଇଥିବା ସ୍ୱୀକାର କରିଥିଲା ।
Powered by Froala Editor