ଭାଙ୍ଗିଲା ୧୨୨ ବର୍ଷର ରେକର୍ଡ : ଏ ବର୍ଷ ମାର୍ଚ୍ଚରେ ଅସମ୍ଭାଳ ଗରମ
ଚଳିତ ମାର୍ଚ୍ଚ ମାସ ସବୁଠୁ ଉତ୍ତପ୍ତ ଭାବେ ପରିଗଣିତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଚଳିତ ମାର୍ଚ୍ଚ ମାସ ୧୨୨ ବର୍ଷର ରେକର୍ଡ଼ ଭାଙ୍ଗିଛି। ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡିର ଆକଳନ ଅନୁସାରେ ଦେଶରେ ୧୯୦୧ ମସିହା ପରଠାରୁ ସବୁଠାରୁ ଅଧିକ ଗରମ ମାସ ହେଉଛି ମାର୍ଚ୍ଚ ।
ରିପୋର୍ଟ ଅନୁସାରେ, ଦେଶରେ ମାର୍ଚ୍ଚ ମାସରେ ହାରାହାରି ତାପମାତ୍ରା ୩୩.୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ଼ ହୋଇଛି । ଯାହା ସାମାନ୍ୟଠାରୁ ୧.୮୬ ଡିଗ୍ରୀ ସେଲସିୟସ୍ ଅଧିକ । ଏହି ସମୟରେ ହାରାହାରି ନିମ୍ନତମ ତାପମାତ୍ରା ୨୦.୨୪ ଡିଗ୍ରୀ ସେଲସିୟସ ରେକର୍ଡ଼ ହୋଇଛି । ଉତ୍ତର ପଶ୍ଚିମ ଅଞ୍ଚଳରେ ସବୁଠାରୁ ଅଧିକ ତାପାମତ୍ରା ରେକର୍ଡ଼ କରାଯାଇଛି । ଯାହା ସାମାନ୍ୟଠାରୁ ୩.୯୧ ଡିଗ୍ରୀ ସେଲସିୟସ ଅଧିକ ଥିଲା । ଅନ୍ୟପଟେ କେନ୍ଦ୍ରୀୟ ଅଞ୍ଚଳରେ ମାର୍ଚ୍ଚ ମାସରେ ୧.୬୨ ଡିଗ୍ରୀ ସେଲସିୟସ୍ ଅଧିକ ତାତି ବଢ଼ିଛି ।
ଚଳିତ ମାର୍ଚ୍ଚ ମାସରେ ଦୁଇଟି ପର୍ଯ୍ୟାୟରେ ଗ୍ରୀଷ୍ମ ପ୍ରବାହ ଆସିଥିଲା। ପ୍ରଥମ ପ୍ରବାହଟି ମାର୍ଚ୍ଚ ୧୧ରୁ ମାର୍ଚ୍ଚ ୨୧ ମଧ୍ୟରେ ଥିବା ବେଳେ ଦ୍ୱିତୀୟଟି ମାର୍ଚ୍ଚ ୨୬ରେ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଚାଲିଛି ବୋଲି ପୁଣେସ୍ଥିତ ଭାରତୀୟ ପାଣିପାଗ ବିଭାଗର ‘କ୍ଲାଇମେଟ୍ ମନିଟରିଙ୍ଗ୍ ଆଣ୍ଡ୍ ପ୍ରେଡିକ୍ସନ୍ ଗ୍ରୁପ୍’ର ମୁଖ୍ୟ ଓ.ପି. ଶ୍ରୀଜିତ୍ ଗଣମାଧ୍ୟମକୁ କହିଛନ୍ତି।
ତେବେ ଆଗକୁ ହିଟ୍ ୱେଭ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମୁଖ୍ୟତଃ ଏପ୍ରିଲ ୩ରୁ ୬ ମଧ୍ୟରେ ଉତ୍କଟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଲୋକମାନଙ୍କୁ ସତର୍କ କରାଯାଇଛି। ବେଶୀ ଖରାରେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।
Powered by Froala Editor