ବଢ଼ିଲାଣି ତାତି : ଏପ୍ରିଲ୍ ୨ରୁ ହେବ ସକାଳୁଆ ସ୍କୁଲ୍
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ତାରିଖରୁ ସକାଳୁଆ ସ୍କୁଲ ହେବ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସାଢ଼େ ୬ରୁ ୧୦ଟା । ନବମରୁ ଦଶମ ଶ୍ରେଣୀ ସକାଳ ୭ଟାରୁ ୧୧ଟା ଯାଏ ସ୍କୁଲରେ ପାଠ ପଢା ହେବ ।
ରାଜ୍ୟ ତମାମ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଉତ୍ତପ୍ତ ପବନ ବୋହିବା ସମ୍ଭାବନା ରହିଛି । ଯାହା ଫଳରେ ସାରା ରାଜ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବଲାଙ୍ଗିର ସମେତ ରାଜ୍ୟର ୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଡେଇଁଛି । ଏସବୁ ଅଞ୍ଚଳରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ତାରିଖ ଠାରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୋଳ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେଣୁ ସକାଳୁଆ ସ୍କୁଲ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।
Powered by Froala Editor