ଚାଲି ଚାଲି ଆସିଲେ, ଚାଲି ଚାଲି ନବୀନ ନିବାସ ଫେରିଲେ

ଭୁବନେଶ୍ୱର: ନା ଥିଲା କାରକେଡ । ନା ଥିଲା ଗାଡ଼ି । ନା ଶୁଭୁଥିଲା ପୁଲିସ ସାଇରନ, ନା ଥିଲେ ବନ୍ଧୁକଧାରୀ ସୁରକ୍ଷା କର୍ମୀ । ନବୀନ ନିବାସରୁ ବାହାରି ଭୋଟଦାନ କେନ୍ଦ୍ରକୁ ଚାଲି ଚାଲି ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସ୍ତାରେ ଯିବା ବେଳେ ଦୁଇ ପଟେ ନିଜ ନିଜ ଘର ଗେଟ ପାଖେ ଛିଡ଼ା ହୋଇଥିବା ଲୋକଙ୍କୁ ହାତ ହଲାଇ ଓ ଯୋଡ଼ ହସ୍ତରେ ସମ୍ବୋଧନ କରି ଆଗକୁ ମାଡ଼ିଚାଲିଥିଲେ ନବୀନ । ପରେ ଭୋଟ ଦାନ କେନ୍ଦ୍ର ପାଖେ ପହଞ୍ଚି ନବୀନ ନିଜର ଭୋଟର କାର୍ଡକୁ ଗଣମାଧ୍ୟମକୁ ଦେଖାଇ ଭୋଟଦାନ କେନ୍ଦ୍ର ଭିତରକୁ ପଶିଥିଲେ । ପରେ ଭୋଟ ଦେଇ ପୁଣି ନବୀନ ନିବାସକୁ ଚାଲି ଚାଲି ଫେରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ୧୦୦ମିଟର ଦୂରରେ ବୁଥ୍ ଥିବାରୁ ମୁଖ୍ୟମନ୍ତ୍ରୀ ଚାଲିଚାଲି ଆସି ଭୋଟ ଦେଇଛନ୍ତି । ଏଥିପାଇଁ ନବୀନ ନିବାସରୁ ବୁଥ୍ ପର୍ଯ୍ୟନ୍ତ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏମସିର ୫୩ ନଂ ୱାର୍ଡରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ନବୀନ ନିବାସରୁ ବାହାରି ଚାଲି ଚାଲି ଯାଇ ମୁଖ୍ୟମନ୍ତ୍ରୀ ଭୋଟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭୋଟ ଦାନ ପାଇଁ ଭୋଟ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ତେବେ ଭୋଟ ପରେ ନବୀନ ପୁଣି ଚାଲି ଚାଲି ନବୀନ ନିବାସ ଫେରିଥିଲେ ।
ପ୍ରକାଶ ଯେ ନେତା ବାଛୁଛନ୍ତି ସହରବାସୀ । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ନିର୍ବାଚନ ଆରମ୍ଭ ହୋଇଛି । ରାଜ୍ୟର ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଆରମ୍ଭ ହୋଇଛି ଭୋଟ । ୪ ହଜାର ୩୭୩ ବୁଥରେ ମତଦାନ ସାବ୍ୟସ୍ତ କରୁଛନ୍ତି ମୋଟ ୪୦ ଲକ୍ଷରୁ ଅଧିକ ଭୋଟର । ଅପରାହ୍ନ ୫ଟା ଯାଏ ଚାଲିବ ଭୋଟ ଗ୍ରହଣ ।
ଚଳିତ ପୌର ନିର୍ବାଚନରେ ପ୍ରତି ବୁଥରେ ଦୁଇଟି ଇଭିଏମ୍ ରହିଛି । ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ ବା ମେୟରଙ୍କ ପାଇଁ ରହିଛି । କଟକର ମେୟର, ବାରିପଦାର ଅଧ୍ୟକ୍ଷ ପଦ ପାଇଁ ୧୬ ଜଣ ଏବଂ ଜୟପୁରର ଅଧ୍ୟକ୍ଷ ପଦ ପାଇଁ ୧୮ ଜଣ ପ୍ରାର୍ଥୀ ଥିବାରୁ ଏହିସବୁ ଜାଗାରେ ଗୋଟିଏ ଲେଖାଏଁ ଅତିରିକ୍ତ ବାଲଟ୍ ୟୁନିଟ୍ ଇଭିଏମ୍ ଲାଗିଛି । ସହରାଞ୍ଚଳରେ ଗୋଟିଏ ଲେଖାଏଁ ମହିଳାଙ୍କ ଦ୍ବାରା ପରିଚାଳିତ ପିଙ୍କ ବୁଥ୍ ଏବଂ ଆଦର୍ଶ ବୁଥ ରହିଛି । ପୌର ନିର୍ବାଚନରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ହୋଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ନିୟୋଜିତ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ହୋଇଛନ୍ତି । ଭୁବନେଶ୍ବରରେ ୩୦, କଟକରେ ୨୦ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।
Powered by Froala Editor