ନବୀନ ନିବାସରୁ ଚାଲିଚାଲି ଆସି ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ଭୋଟିଂ । ନେତା ବାଛୁଛନ୍ତି ସହରବାସୀ । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ନିର୍ବାଚନ ଆରମ୍ଭ ହୋଇଛି । ରାଜ୍ୟର ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଆରମ୍ଭ ହୋଇଛି ଭୋଟ । ୪ ହଜାର ୩୭୩ ବୁଥରେ ମତଦାନ ସାବ୍ୟସ୍ତ କରୁଛନ୍ତି ମୋଟ ୪୦ ଲକ୍ଷରୁ ଅଧିକ ଭୋଟର । ଅପରାହ୍ନ ୫ଟା ଯାଏ ଚାଲିବ ଭୋଟ ଗ୍ରହଣ । ଚଳିତ ପୌର ନିର୍ବାଚନରେ ପ୍ରତି ବୁଥରେ ଦୁଇଟି ଇଭିଏମ୍ ରହିଛି । ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ ବା ମେୟରଙ୍କ ପାଇଁ ରହିଛି ।
ନା ଥିଲା କାରକେଡ । ନା ଥିଲା ଗାଡ଼ି, ନା ଶୁଭୁଥିଲା ପୁଲିସ ସାଇରନ, ନା ଥିଲେ ସୁରକ୍ଷା କର୍ମୀ । ଆଜି ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଚାଲିଚାଲି ଆସି ବିଏମସି ୫୩ ନମ୍ବର ୱାର୍ଡରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ରାସ୍ତାରେ ଯିବା ବେଳେ ଦୁଇ ପଟେ ନିଜ ନିଜ ଘର ଗେଟ ପାଖେ ଛିଡ଼ା ହୋଇଥିବା ଲୋକଙ୍କୁ ହାତ ହଲାଇ ଓ ଯୋଡ଼ ହସ୍ତରେ ସମ୍ବୋଧନ କରି ଆଗକୁ ମାଡ଼ିଚାଲିଥିଲେ ନବୀନ । ପରେ ଭୋଟ ଦାନ କେନ୍ଦ୍ର ପାଖେ ପହଞ୍ଚି ନବୀନ ନିଜର ଭୋଟର କାର୍ଡକୁ ଗଣମାଧ୍ୟମକୁ ଦେଖାଇ ଭୋଟଦାନ କେନ୍ଦ୍ର ଭିତରକୁ ପଶିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଭୋଟ ଦାନ ପାଇଁ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାିଥିଲା । ନବୀନ ନିବାସରୁ ୧୦୦ମିଟର ଦୂରରେ ବୁଥ୍ ଥିବାରୁ ମୁଖ୍ୟମନ୍ତ୍ରୀ ଚାଲିଚାଲି ଆସି ଭୋଟ ଦେଇଛନ୍ତି । ଏଥିପାଇଁ ନବୀନ ନିବାସରୁ ବୁଥ୍ ପର୍ଯ୍ୟନ୍ତ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ ଭୋଟ ପରେ ନବୀନ ପୁଣି ଚାଲି ଚାଲି ନବୀନ ନିବାସ ଫେରିଥିଲେ ।
Powered by Froala Editor