କାଗଜ କିଣିବାକୁ ଡଲାର ନାହିଁ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ କଲେ ଶ୍ରୀଲଙ୍କା ସରକାର
ଶ୍ରୀଲଙ୍କା ସରକାରଙ୍କ ପାଖରେ କାଗଜ କିଣିବାକୁ ଡଲାର ନାହିଁ । କାଗଜ କିଣିବାରେ ସକ୍ଷମ ନ ଥିବାରୁ ବିଦ୍ୟାଳୟମାନଙ୍କରେ ହେବାକୁ ଥିବା ପରୀକ୍ଷା ବାତିଲ କରିଛନ୍ତି ସରକାର। ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷା କେବେ ହେବ ସେନେଇ କୌଣସି ସୂଚନା ଦିଆଯାଇନାହିଁ।
ଶିକ୍ଷା ଅଧିକାରୀଙ୍କ କହିବାନୁସାରେ, ଦେଶ ବାହାରେ କାଗଜ କିଣିବା ପାଇଁ ଡଲାର ନାହିଁ। ସୋମବାରଠାରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ହେବାକୁ ଯାଉଛି। କିନ୍ତୁ ଦେଶରେ କାଗଜପତ୍ରର ଅଭାବ ହେତୁ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏନେଇ ଶନିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।
ଶିକ୍ଷା କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, କାଗଜର ଉତ୍କଟ ଅଭାବ ହେତୁ ସୋମବାରଠାରୁ ସପ୍ତାହେ ବ୍ୟାପୀ ହେବାକୁ ଥିବା ‘ଟର୍ମ ଟେଷ୍ଟ୍’କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରାଯାଇଛି। ୧୯୪୮ ମସିହାରେ ସ୍ୱାଧୀନ ହେବା ପରଠାରୁ ଶ୍ରୀଲଙ୍କାରେ ଅର୍ଥନୈତିକ ଅବସ୍ଥା ବଡ଼ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି।
ଦେଶରେ ବିଦେଶୀ ମୁଦ୍ରା ନାହିଁ। ଫଳରେ ପେପର ଓ କାଳି ବାହାରୁ ଆମଦାନୀ କରି ହେଉନାହିଁ। ଯେଉଁଥିପାଇଁ ଅଧିକାଂଶ ସ୍କୁଲର ପ୍ରିନ୍ସିପାଲ ପରୀକ୍ଷା ଆୟୋଜନ କରିପାରୁନାହାଁନ୍ତି। ଏହି କାରଣରୁ ସମଗ୍ର ଶ୍ରୀଲଙ୍କାରେ ଥିବା ୪.୫ ନିୟୁତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ଦୁଇତୃତୀୟାଂଶ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି।
କେବଳ କାଗଜ ନୁହେଁ ବିଦେଶୀ ମୁଦ୍ରାର ଅଭାବ ଯୋଗୁଁ ଖାଦ୍ୟ, ଇନ୍ଧନ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ଆମଦାନୀ କରି ପାରୁନାହାଁନ୍ତି ଶ୍ରୀଲଙ୍କା ସରକାର।
Powered by Froala Editor