ମଉଜ ପାଇଁ ଭୁଲିଗଲେ କଟକଣା: ନାଚଗୀତରେ ମସଗୁଲ ଥିଲେ, ଅଟକାଇବାରୁ ପୁଲିସକୁ ପିଟିଲେ
ଚଇତି ପର୍ବରେ ଲୋକେ ଗହଳି ଜମାଇଥିଲେ । କୋଭିଡ କଟକଣା ଭୁଲି ନାଚଗୀତରେ ମସଗୁଲ ହୋଇଥିଲେ । ଏ ଖବର ପାଇ ପୁଲିସ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ମାରପିଟ୍ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲା ଉଦଳା ଶରତ ଥାନା ଦେୱାନବାହାଳୀ ଗ୍ରାମରେ ଘଟିଛି ଏ ଘଟଣା।
ଗାଁରେ କଟକଣା ଉଲ୍ଲଂଘନ କରି ନାଚଗୀତ ଚାଲିଥିଲା । ପୁଲିସ ଖବର ସେଠାରେ ପହଞ୍ଚି ନାଚଗୀତ ବନ୍ଦ ପାଇଁ କହିଥିଲା । ହେଲେ ଲୋକ ଶୁଣିନଥିଲେ । ନିଶାସକ୍ତ ଅବସ୍ଥାରେ ପାଞ୍ଚ ହଜାରରୁ ଅଧିକ ଲୋକ ଏକତ୍ରିତ ହୋଇ ପୁଲିସ ଉପରକୁ ଆକ୍ରମଣ କରିଥିବା ବେଳେ ପୁଲିସ ଗାଡିକୁ ଭାଙ୍ଗି ଚୁରମାର କରିଥିଲେ । ଏହି ଆକ୍ରମଣରେ ଶରତ ଥାନାର ଏଏସଆଇ ବିଶ୍ବଜିତ୍ ଦାସମହାପାତ୍ର ଗୁରୁତର ହୋଇଥିବା ବେଳେ ଜଣେ ହୋମଗାର୍ଡ ଏବଂ ଜଣେ କନେଷ୍ଟବଳ ଆହତ ହୋଇଛି । ଗୁରୁତର ଏଏସଆଇ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ପରେ ଆଉ କିଛି ପୁଲିସ ଗାଁରେ ପହଞ୍ଚି ଆହତ ପୁଲିସଙ୍କୁ ଉଦ୍ଧାର କରିଥିଲେ । ପୁଲିସ ଗାଡିକୁ ଭାଙ୍ଗିଥିବା ଓ କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।
Powered by Froala Editor