ପ୍ରଶାନ୍ତଙ୍କୁ ବିଜେଡିର କଡ଼ା ନିନ୍ଦା
ଭୁବନେଶ୍ୱର: ଲୋକଙ୍କ ଉପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇ ଦେବା ଘଟଣାକୁ ବିଜେଡି କଡ଼ା ନିନ୍ଦା କରିଛି । ଏହି ପରିପ୍ରେକ୍ଷୀରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ । ବିଧାୟକଙ୍କ ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ ବିଜେଡି ନିନ୍ଦା କରୁଛି । ଅତୀତରେ ଏଭଳି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ବିଧାୟକଙ୍କ ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ ବିଜେଡି ନିନ୍ଦା କରୁଛି । ଅଭିଯୁକ୍ତଙ୍କ ବିରାଧରେ ପୁଲିସ ଉଚିତ କାର୍ଯ୍ୟାନୁଷ୍ଠାନ ନେଉ । ଦଳ ପକ୍ଷରୁ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଗକୁ ବି ନିଆଯିବ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।
ସେହିପରି ବିପେକ୍ଷରୁ ବରିଷ୍ଠ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଗଣତନ୍ତ୍ରରେ ହିଂସାକାଣ୍ଡ ଗ୍ରହଣୀୟ ନୁହେଁ । ବିଧାୟକ ହୁଅନ୍ତୁ କି ସାଧାରଣ ଲୋକ ହିଂସା ସ୍ଫୃହଣୀୟ ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଅପରପକ୍ଷରେ ଏହି ଘଟଣାରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା ପୃଥ୍ୱୀରାଜ କହିଛନ୍ତି । ସେ କହିଛନ୍ତି ଯେ ଲୋକଙ୍କ ଉପରେ ରାଗ ରଖି, ଡରାଇବା ପାଇଁ ବିଧାୟକ ଗାଡ଼ି ମଡ଼ାଇଛନ୍ତି । ଏଭଳି କାମ ସୁସ୍ଥ ମସ୍ତିଷ୍କ ଥିବା ବ୍ୟକ୍ତିର ହୋଇପାରେନା । ଏଭଳି ଲୋକର ସ୍ଥାନ ଜେଲରେ ବୋଲି ପୃଥ୍ୱୀରାଜ କହିଛନ୍ତି । ଏନେଇ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା ଥିବା ସେ କହିଛନ୍ତି ।
ପ୍ରକାଶଯେ ବାଣପୁରରେ ଅଭାବନୀୟ ଘଟଣା । ଉତ୍ତର ପ୍ରଦେଶ ଲଖୀମପୁର ଖେରୀ ଘଟଣାର ପୁନରାବୃତ୍ତି ଖୋର୍ଦ୍ଧାରେ ଦେଖିବାକୁ ମିଳିଛି । ଭିଡ ଭିତରେ ଗାଡି ଚଢାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଘଟଣାରେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ସେହିପରି ଆହତଙ୍କ ମଧ୍ୟରେ ୭ ପୋଲିସକର୍ମୀ ରହିଥିବାବେଳେ ୨ ସାମ୍ବାଦିକ ରହିଛନ୍ତି । ଏହାପରେ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ପ୍ରଥମେ ଟାଙ୍ଗୀ ହସ୍ପିଟାଲ ଓ ପରେ ଭୁବନେଶ୍ବରକୁ ସ୍ଥାନାନ୍ତର ହୋଇଛନ୍ତି ଗୁରୁତର ବିଧାୟକ । ଘଟଣାସ୍ଥଳରେ ଏବେ ଉତ୍ତେଜନା ଲାଗି ରହିଛି ।
ସୂଚନା ଅନୁସାରେ, ଆଜି ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକିୟା ସମୟରେ ସେଠାରେ ଶହ ଶହ ଲୋକେ ରୁଣ୍ଡ ହୋଇଥିଲେ । ଏହି ସମୟରେ ବିଧାୟକ ବ୍ଲକ ପରିସରକୁ ଗାଡି ନେଇ ଧସେଇ ପଶିଥିଲେ । ଭିଡ଼ ଭିତରେ ସେ ଗାଡି ନେବା ସମୟରେ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣାରେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ମାଡ଼ ମାରିଥିଲେ । ସଂଘବଦ୍ଧ ଆକ୍ରମଣରେ ବିଧାୟକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରେ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କ ଗାଡି ଭଙ୍ଗାରୁଜା କରିଥିଲେ ।
Powered by Froala Editor