୭ ଦିନିଆ ରିମାଣ୍ଡରେ ଗଲେ ଏନଏସ୍ଇର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣ

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ପୂର୍ବତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଚିତ୍ରା ରାମକୃଷ୍ଣଙ୍କ ସମସ୍ୟା ଏବେ ବଢି ଚାଲିଛି । ରବିବାର ବିଳମ୍ବିତ ରାତ୍ରିରେ ଚିତ୍ରାଙ୍କୁ ସିବିଆଇ ଗିରଫ କରିଥିବା ବେଳେ ସୋମବାର ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରିଥିଲା। ମାମଲାରେ ଚିତ୍ରାଙ୍କୁ ଅଧିକ ପଚରା ଉଚରା ନିମନ୍ତେ କୋର୍ଟଙ୍କୁ ସିବିଆଇ ୧୪ ଦିନ ରିମାଣ୍ଡ ନିବେଦନ କରିଥିଲେ। ତେବେ କୋର୍ଟ ୭ ଦିନ ମଞ୍ଜୁର କରିଛନ୍ତି।
କୋର୍ଟ ଚିତ୍ରାଙ୍କୁ ରିମାଣ୍ଡରେ ପଠାଇବା ବେଳେ କେତେକ ସର୍ତ୍ତ ରଖିଛନ୍ତି। ସିବିଆଇ ତାଙ୍କୁ ଜେରା ବେଳେ ଉକ୍ତ ପ୍ରକୋଷ୍ଠରେ ସିସିଟିଭି ଲଗାଇବ। ପୂରା ଜେରା ପ୍ରକ୍ରିୟା ସିସିଟିଭରେ ରେକର୍ଡ କରାଯିବ। ଚିତ୍ରାଙ୍କୁ ତାଙ୍କ ଓକିଲ ସବୁଦିନ ସନ୍ଧ୍ୟା ବେଳେ ଭେଟିପାରିବେ। ସେହିପରି ପ୍ରତି ୨୪ ଘଣ୍ଟାରେ ଥରେ ସିବିଆଇ ପକ୍ଷରୁ ଚିତ୍ରାଙ୍କ ମେଡିକାଲ ଟେଷ୍ଟ କରାଯିବ ବୋଲି କୋର୍ଟ କହିଛନ୍ତି।
ଶୁଣାଣି ବେଳେ ସିବିଆଇ ଓକିଲ କହିଥିଲେ ଯେ “ଚିତ୍ରା ତଦନ୍ତରେ ଆଦୌ ସହଯୋଗ କରୁନାହାନ୍ତି। ସନ୍ଦେହଜନକ ଅବସ୍ଥାରେ ଥିବା ପ୍ରାୟ ୨୫ଶହ ଇ-ମେଲ ବାବଦରେ ତାଙ୍କୁ ପଚରାଉଚରା କରିବାର ଅଛି। ଚିତ୍ରା ଏନଏସ୍ଇର ପୂର୍ବତନ କର୍ମଚାରୀ ସୁବ୍ରମନ୍ୟମଙ୍କ ସହ ତାଙ୍କର ଥିବା ସମ୍ପର୍କ ବିଷୟରେ ଖୁଲାସା କରୁନାହାନ୍ତି। ଏପରି କି ସେ ସୁବ୍ରମନ୍ୟମଙ୍କୁ ଚିହ୍ନି ନାହାନ୍ତି ବୋଲି କହୁଛନ୍ତି।”
ସୂଚନା ଯେ, ୨୦୧୩ରୁ ୨୦୧୬ ଯାଏ ଚିତ୍ରା ଏନଏସଇର ସିଇଓ ଭାବେ କାର୍ଯ୍ୟ କରିଥିଲେ। ତେବେ ଏହି ସମୟରେ ସେ ହିମାଳୟରେ ଜଣେ ଯୋଗୀଙ୍କୁ ଏନଏସ୍ଇର ସବୁ ଗୁପ୍ତ ତଥ୍ୟ ଦେଉଥିଲେ। ସିବିଆଇ ତଦନ୍ତ ବେଳେ ଏନଏସଇର ପୂର୍ବତନ କର୍ମଚାରୀ ଆନନ୍ଦ ସୁବ୍ରମନ୍ୟମ୍ ହିଁ ହିମାଳୟର ତଥା କଥିତ ଯୋଗୀ ବୋଲି ଜାଣିବାକୁ ପାଇଥିଲା। ଏହାପରେ ଗତ ସପ୍ତାହରେ ତାଙ୍କୁ ଗିରଫ କରାଯାଇଛି।
Powered by Froala Editor