ପୁଣି ୟୁକ୍ରେନ ସପକ୍ଷରେ ଭୋଟ ଦେଲାନି ଭାରତ
ନାଟୋ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ୟୁକ୍ରେନରେ ଋଷର ତାଣ୍ଡବଲୀଳା ଜାରି ରହିଛି । ଆଜି ୟୁକ୍ରେନ ମୁଖ୍ୟ ରେଳ ଷ୍ଟେସନରେ ଋଷ ପକ୍ଷରୁ ଭୟଙ୍କର ରକେଟ ମାଡ ହୋଇଛି ।
ଅନ୍ୟପଟେ ରୁଷ ଚଳାଇଥିବା ଦମନଲୀଳା ବିରୋଧରେ ଆଗତ ଗୋଟିଏ ପ୍ରସ୍ତାବ ଜାତିସଂଘର ସାଧାରଣ ମହାସଭାରେ ପାରିତ ହୋଇଛି । ଏ ପ୍ରସ୍ତାବରେ ଋଷର ପଦକ୍ଷେପକୁ ନିନ୍ଦା କରାଯାଇଛି । ସେହିପରି ରୁଷ ସୈନ୍ୟ ତୁରନ୍ତ ୟୁକ୍ରେନ ଛାଡନ୍ତୁ ବୋଲି ପାରିତ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ।
କିନ୍ତୁ ଏହି ନିନ୍ଦା ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରୁ ଭାରତ ପୁଣିଥରେ ନିଜକୁ ଦୂରେଇ ରଖିଛି । ଭାରତ ସମେତ ପାକିସ୍ତାନ, ଚାଇନା ଭଳି ୩୫ଟି ଦେଶ ପ୍ରସ୍ତାବ ଉପରେ ଭୋଟ ଦେଇ ନାହାନ୍ତି । ସେହିପରି ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ମହାସଭାର ୧୪୧ଟି ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ରୁଷ ସମେତ ୫ ଦେଶ ଏହା ବିରୋଧରେ ମତ ରଖିଛନ୍ତି । ୧୪୧ ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବାରୁ ଏହା ପାରିତ ହୋଇଛି ।
ୟୁକ୍ରେନରେ ରୁଷ ଆକ୍ରମଣ କରୁଥିବାରୁ ବିଭିନ୍ନ ରାଷ୍ଟ୍ର ଏହାକୁ ବିରୋଧ କରି ଆସୁଛନ୍ତି । ଏଥିପାଇଁ ଜାତିସଂଘର ବିଭିନ୍ନ ଫୋରମରେ ନିନ୍ଦା ପ୍ରସ୍ତାବ ମଧ୍ୟ ଆଗତ କରାଯାଉଛି । ହେଲେ ଭାରତ ସବୁବେଳେ ନିଜକୁ ପ୍ରସ୍ତାବ ଠାରୁ ଦୂରେଇ ରଖୁଛି । ପୂର୍ବରୁ ଭାରତ ଜାତିସଂଘ ସୁରକ୍ଷା ପରିଷଦ ଓ ଜାତିସଂଘର ମାନବାଧିକାର ପରିଷଦରେ ଆଗତ ରୁଷ ବିରୋଧୀ ପ୍ରସ୍ତାବର ଭୋଟଦାନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲା । ଏବେ ଜାତିସଂଘ ସାଧାରଣ ମହାସଭାରେ ମଧ୍ୟ ସମାନ ନୀତି ଆପଣାଇଛି ।
Powered by Froala Editor