ପୁଣି ବଢିବ ପେଟ୍ରୋଲ ଦର!

ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୦୦ଡଲାର ଟପିବା ପରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ବିକ୍ରିରେ କଂପାନିଗୁଡିକ ପ୍ରାୟ ୯ଟଙ୍କାର କ୍ଷତି ସହୁଛନ୍ତି । ଆସନ୍ତା ସପ୍ତାହ ରାଜ୍ୟ ନିର୍ବାଚନ ଶେଷ ହେବା ପରେ କଂପାନୀ ଗୁଡିକ ଦର ବୃଦ୍ଧି ଆରମ୍ଭ କରିବେ ବୋଲି ଅନୁମାନ କରାଯାଉଛି । ଆଜି ଅଶୋଧିତ ତୈଳ ଦାମ୍ ୧୧୩ଡଲାର ସ୍ତର ଅତିକ୍ରମ କରିଛି । ଆଠ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ଆନ୍ତର୍ଜାତିକ ବଜାରରେ ତେଲ ଏତେ ମହଙ୍ଗା ହୋଇଛି, ଯାହା ଭାରତ ଭଳି ଆମଦାନି ଉପରେ ନିର୍ଭରଶୀଳ ଦେଶ ଲାଗି ଏକ ବଡ ବିପଦ ହୋଇପାରେ ।
ୟୁକ୍ରେନରେ ଋଷିଆ ଆକ୍ରମଣ କରିବା ପରଠାରୁ ତେଲ ବଜାର ଅସ୍ଥିର ରହିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ନିୟମିତ ବ୍ୟବଧାନରେ ବୃଦ୍ଧି ପାଉଛି । ମାର୍ଚ୍ଚ ୧ରେ ଦର ୧୦୨ଡଲାର ଥିଲା । ଗତବର୍ଷ ନଭେମ୍ବରରେ ଯେତେବେଳେ ଅଶୋଧିତ ତୈଳ ଦର ୮୧.୫ ଡଲାର ଥିଲା ତା’ପରଠାରୁ ତେଲ କଂପାନିଗୁଡିକ ଆଉ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ସଂଶୋଧନ କରିନାହାଁନ୍ତି । ଦୀର୍ଘ ୧୧୮ଦିନ ହେଲାଣି ଦର ଅପରିବର୍ତ୍ତିତ ରହିଛି । ଏହାସତ୍ତ୍ୱେ ପେଟ୍ରୋଲ ଲିଟର ଦାମ୍ ୧୦୦ଟଙ୍କାରୁ ଅଧିକ ରହିଛି । ଇତିମଧ୍ୟରେ ଅଶୋଧିତ ତୈଳ ଦରରେ ୨୫ଡଲାର ବୃଦ୍ଧି ହୋଇସାରିଲାଣି । ଯଦି ତାହାର ସବୁ ବୋଝ ଗ୍ରାହକଙ୍କ ଉପରେ ଲଦିବାକୁ କଂପାନୀଗୁଡିକ ନିଷ୍ପତ୍ତି ନେବେ, ତେବେ ପେଟ୍ରୋଲ ଓ ଡିଜେଲ ଦାମ୍ ଅସହ୍ୟ ସ୍ତରକୁ ଚାଲିଯିବ ।
Powered by Froala Editor