୧୩ ବୁଥରେ ରିପୋଲ ପ୍ରସ୍ତାବ

ଭୁବନେଶ୍ୱର:ଗତକାଲି ରାଜ୍ୟରେ ସରିଛି ଦ୍ୱତୀୟ ପର୍ଯ୍ୟାୟ ନିର୍ବାଚନ । ଦ୍ୱତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସଙ୍ଗରେ ଏସଇସି ସଚିବଙ୍କ ସୂଚନା ଦେଇ କହିଛନ୍ତି ଯେ, କାଲି ହୋଇଥିବା ନିର୍ବାଚନରେ ୧୩ଟି ଜାଗାରେ ରି-ପୋଲ ପ୍ରସ୍ତାବ ଆସଛି । ଅନ୍ୟ ୩ଟି ବୁଥରେ ବାଲାଟ ପେପର ଫୋଲ୍ଡିଂ ତ୍ରୁଟି ଥିବା ଜଣାପଡିଛି ।
ସେସବୁ ତର୍ଜମା କରାଯାଇ ରି-ପୋଲ ନିଦେ୍ର୍ଧଶନାମା ପ୍ରକାଶ ପାଇବ ବୋଲି ଏସଇସି ସଚିବ କହିଛନ୍ତି ।
ଅନ୍ୟପକ୍ଷରେ ଶୁକ୍ରବାର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୭୮.୩ପ୍ରତିଶତ ମତଦାନ ହୋଇଛି । ଏନେଇ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ସୁବର୍ଣ୍ଣପୁରରେ ସର୍ବାଧିକ ୮୫.୬୭ ପ୍ରତିଶତ ମତଦାନ ହୋଇଛି । ଏହାଛଡ଼ା ଝାରସୁଗୁଡ଼ାରେ ୮୫.୧୪ ପ୍ରତିଶତ ଓ ବୌଦ୍ଧରେ ୮୪.୯ ପ୍ରତିଶତ ମତଦାନ ହୋଇଛି ।
ଶୁକ୍ରବାର ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଗଣ୍ଡଗୋଳ ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଛି । ଏନେଇ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ବାଲାଟ ପେପରରେ ତ୍ରୁଟି ଯୋଗୁ ୩ଟି ସ୍ଥାନରେ ପୁନଃ ମତଦାନର ସମ୍ଭାବନା ରହିଛି । ଯାଜପୁର ଜିଲ୍ଲାର କନିକାପଡ଼ା ପଂଚାୟତର ବୁଥ ନମ୍ବର-୨ ଓ ୩ରେ କେତେକ ଦୁବୃର୍ତ୍ତ ବାଲାଟ ପେପର ନେଇ ପଳାଇଥିବାବେଳେ ଜଗତସିଂହପୁର ଜିଲ୍ଲାର ପାଟସରା ପଂଚାୟତର ୨ଟି ବୁଥରେ ଗଣ୍ଡଗୋଳ କରି ବାଲାଟ ବାକ୍ସକୁ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ସେହିପରି ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକର ଠାକୁରପାଲ୍ଲୀ ବୁଥ-୨ରେ ଦିଆଯାଇଥିବା ବାଲାଟ ପେପରରେ ୬ଜଣ ସରପଂଚ ପ୍ରାର୍ଥୀଙ୍କ ନାଁ ପରିବର୍ତ୍ତେ ମାତ୍ର ୩ଜଣ ପ୍ରାର୍ଥୀଙ୍କ ଚିହ୍ନ ରହିଥିଲା । ନବରଙ୍ଗପୁରର ନନ୍ଦାହାଣ୍ଡି ବ୍ଲକର ଡହଣା ପଂଚାୟତର ୭ ନମ୍ବର ୱାର୍ଡରେ ଜଣେ ସରପଂଚ ପ୍ରାର୍ଥୀଙ୍କ ସପକ୍ଷରେ ବାଲାଟ ପେପରରେ ଟାମ୍ପରିଂ ହୋଇଥିବା ଅଭିଯୋଗ ହୋଇଛି ।ଏସବୁ ବ୍ୟତୀତ ବରଗଡ଼ ଜିଲ୍ଲାର ଗାଇସିଲେଟ୍ ବ୍ଲକର କାଥୁଆମୂଳ ବୁଥ ବାହାରେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଗାଇସିଲେଟ୍ ଥାନା ଅଧିକାରୀ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ସେଠାରେ ଲାଠି ଚାଳନା କରିଥିବାର ଖବର ଆସିଛି ।
Powered by Froala Editor