ମତଦାନ ପୂର୍ବରୁ ବଦଳିଲେ ପ୍ରିଜାଇଡିଂ ଅଫିସର

ଭଦ୍ରକ: ମତଦାନ ପୂର୍ବରୁ ଭଦ୍ରକ ଜିଲ୍ଲା ଆମ୍ବରୋଳି ପଞ୍ଚାୟତର ତଳାଙ୍ଗ ୧ ନମ୍ବର ୱାର୍ଡରେ ଚାପା ଉତ୍ତେଜନା । ସନ୍ଧ୍ୟା ପରେ ବାଲାଟ ପେପର ପୋଲିଂ ଷ୍ଟେସନ ବାହାରକୁ ଯାଉଥିବା ଅଭିଯୋଗରେ ପ୍ରିଜାଇଡିଂ ଅଫିସରଙ୍କୁ ଘେରିଲେ ଲୋକେ । ପୋଲିସ ପହଞ୍ଚି ପ୍ରକୃତ ଘଟଣା ବୁଝିବା ପରେ ମାମଲା ଥଣ୍ଡା ପଡିଥିଲା । ହେଲେ ଏହି ଘଟଣା ପରେ ପ୍ରିଜାଇଡିଂ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲାରେ ଆଜି ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ । ଭଦ୍ରକ ଓ ବନ୍ତ ବ୍ଲକରେ ନିର୍ବାଚନ ହେଉଛି । କିନ୍ତୁ ନିର୍ବାଚନ ପୂର୍ବରୁ ମଙ୍ଗଳବାର ଆମ୍ବରୋଳି ପଞ୍ଚାୟତ ତଳାଙ୍ଗ ୧ ନମ୍ବର ୱାର୍ଡରେ ଉତ୍ତେଜନା ଦେଖାଦେଇଛି । ୧ ନମ୍ବର ୱାର୍ଡ ଝାଟିଆ ପ୍ରାଇମେରୀ ସ୍କୁଲରେ ପୋଲିଂ ପାଇଁ ପ୍ରସ୍ତୁତି ବେଳେ ନିୟୋଜିତ କର୍ମଚାରୀ ଭୁଲବଶତଃ ବାଲାଟ ପେପରର ନିର୍ଦ୍ଧାରିତ ସ୍ଥାନ ବଦଳରେ ଅନ୍ୟ ସ୍ଥାନରେ ଷ୍ଟାମ୍ପ ମାରିଥିଲେ । ପରେ ଏହି ଘଟଣା ଜାଣିବା ପରେ ଦାୟିତ୍ୱରେ ଥିବା ଅଫିସର ସେକ୍ଟର ଅଫିସରଙ୍କୁ ଅବଗତ କରାଇ ବାଲାଟ ପେପର ବଦଳାଇବା ପାଇଁ ଯାଉଥିଲେ । ତେବେ ଏହି ସମୟରେ ସ୍ଥାନୀୟ ଲୋକେ ବାଲାଟ ନେଇଯାଉଥିବା ଅଫିସରଙ୍କୁ ଅଟକ ରଖିଥିଲେ ।ଏହାପରେ ପୋଲିସ ପହଞ୍ଚି ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବାଲାଟରେ ଭୁଲ ଷ୍ଟାମ୍ପିଙ୍ଗ ବିଷୟରେ ପ୍ରିଜାଇଡିଂ ଅଫିସର ଉପରିସ୍ଥ ଅଧିକାରୀଙ୍କୁ ପୂର୍ବରୁ ଜଣାଇଥିବା ସୂଚନା ମିଳିଛି । ତେବେ ପରେ ଉକ୍ତ ପୋଲିଂ ଷ୍ଟେସନକୁ ନୂଆ ବାଲାଟ ଯାଇଥିବା ବେଳେ ପ୍ରିଜାଇଡିଂ ଅଫିସରଙ୍କୁ ବଦଳାଇ ଯାଇଥିବା ସୂଚନା ମିଳିଛି । ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।
Powered by Froala Editor