ବାହାଘର ପୂର୍ବରୁ ତାଲା ଭାଙ୍ଗି ନେଇଗଲେ ଦେଢ଼ଲକ୍ଷ ଟଙ୍କାର ଖାସି
ସକାଳ ପାହିଲେ ହୋଇଥାନ୍ତା ବାହାଘର । ଘରେ ବନ୍ଧୁବାନ୍ଧବ ଆସିଥିଲେ । ଭୋଜିଭାତର ଆସର ଜମିଥାନ୍ତା । ହେଲେ ରାତିରେ ହିଁ କେହି ଦୁର୍ବୃତ୍ତ ଚୋରି କରି ନେଇଛନ୍ତି ଦେଢ଼ଲକ୍ଷ ଟଙ୍କାର ଖାସି । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ସହର କନ୍ଧପାଲି ପଡାରେ।
କନ୍ଧପାଲି ପଡାର ଶତୃଘ୍ନ ବଗର୍ତ୍ତିଙ୍କ ମଝିଆ ପୁଅ ଶିବୁଙ୍କ ଶିବୁ ବଗର୍ତ୍ତିଙ୍କ ଆଜି ବାହାଘର ଥିଲା । ୧୨ ତାରିଖରେ ବନ୍ଧୁବାନ୍ଧବଙ୍କୁ ଆମିଷ ଭୋଜି ଦେଇଥାନ୍ତେ । ସେଥିପାଇଁ ଧାର ଉଧାର କରି ପ୍ରାୟ ଦେଢ ଲକ୍ଷ ଟଙ୍କାରେ ୧୧ଟି ଖାସି କିଣିଥିଲେ ଏକ ମାସ ଆଗରୁ ଶିବୁଙ୍କ ବାପା ଶତୃଘ୍ନ । କିଣା ଯାଇଥିବା ଖାସି ଗୁଡ଼ିକୁ ଘର ନିକଟରେ ଥିବା ଏକ ଷ୍ଟୋର୍ ରୁମ୍ରେ ରଖି ତାଲା ପକାଇ ଦେଇଥିଲେ।
ତେବେ ୮ ତାରିଖ ବିଲମ୍ୱିତ ରାତିରେ ଚୋରମାନେ ତାଲା ଭାଙ୍ଗି ୧୧ଟିରୁ ୧୦ଟି ଖାସିକୁ ନେଇଯାଇଛନ୍ତି। ତେବେ ଗୋଟିଏ ଖାସିକୁ ପତଳା ଝାଡ଼ା ହେଉଥିବାରୁ ଚୋରମାନେ ତାକୁ ନେଇନାହାନ୍ତି। ବୁଧବାର ସକାଳେ ଘର ତାଲା ଭଙ୍ଗା ଯାଇଥିବା ଦେଖି ଶତୃଘ୍ନ ଏନେଇ ସେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor