ଫାର୍ମରେ କ୍ରିକେଟ୍ ଖେଳିବାରୁ ରାଗି ଗଲେ ମନ୍ତ୍ରୀଙ୍କ ପୁଅ, ଗଳିମାଡ଼ରେ ନାବାଳକ ଗୁରୁତର
ପାଟନା: ପୁଣି ବିବାଦରେ ଜଣେ ବିଜେପି ନେତା । ସେ ହେଲେ ବିହାରର ପର୍ଯ୍ୟଟନ ମନ୍ତ୍ରୀ ନାରାୟଣ ପ୍ରସାଦ ସାହ । ତାଙ୍କ ପୁଅ ଜଣେ ନାବାଳକ ଉପରକୁ ଗୁଳିମାଡ଼ କରିଛନ୍ତି । ଏହି ଘଟଣା ପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେଠାରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି ।
ପଶ୍ଚିମ ଚମ୍ପାରଣ ଜିଲ୍ଲା ବେତିଆ ଅନ୍ତର୍ଗତ ହରଦିୟା ଗ୍ରାମରେ ନାରାୟଣ ପ୍ରସାଦଙ୍କ ଏକ ଫାର୍ମ ଅଛି । ଏଥିରେ ସ୍ଥାନୀୟ ଅଞ୍ଚଳର କିଛି ଛୋଟ ପିଲା କ୍ରିକେଟ୍ ଖେଳୁଥିଲେ । ଏହି ସମୟରେ ପହଞ୍ଚି ଥିଲେ ମନ୍ତ୍ରୀଙ୍କ ପୁଅ ବବୁଲ୍ ପ୍ରସାଦ । ସେ ପିଲାମାନଙ୍କୁ ଧମକ ଚମକ ଦେବା ସହ ଦୁର୍ବ୍ୟବହାର କରିଥିଲେ । ଯାହାକୁ କିଛି ପିଲା ବିରୋଧ କରିବା ସହ ପ୍ରତିବାଦ ଜଣାଇଥିଲେ । ଏହାକୁ ନେଇ ବବୁଲ୍ ଉତ୍କ୍ଷିପ୍ତ ହୋଇ ଯାଇଥିଲେ । ପିଲାମାନଙ୍କୁ ମାରପିଟ୍ କରିଥିଲେ । ତେବେ ଏତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା । ପିଲାମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ବେତିଆ ସରକାରୀ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପ୍ରଘଟ ହେବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ପହଞ୍ଚି ହୋହଲ୍ଲା କରିବା ସହିତ ମନ୍ତ୍ରୀଙ୍କ ପୁଅ ଚଢ଼ୁଥିବା କାର୍କୁ ପୋଡ଼ି ଦେଇଥିଲେ । ଏହାପରେ ପରିସ୍ଥିତି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିଲା । ଖବରପାଇ ସ୍ଥାନୀୟ ପୁଲିସ୍ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି । ବବୁଲ୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ପୁଲିସ୍ ବନ୍ଧୁକ ଓ ଖୋଜା ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।
Powered by Froala Editor