ହସ୍ପିଟାଲରେ ନିଆଁ: ସ୍ଥାନାନ୍ତର ବେଳେ ପ୍ରାଣ ହରାଇଲେ ୪ ଜଣ
ମହାରାଷ୍ଟ୍ରର ଥାନେ ନିକଟରେ ଥିବା ଏକ ଘରୋଇ ଡାକ୍ତରଖାନାରେ ନିଆଁ ଲାଗିଯିବାରୁ ଅନ୍ୟୂନ ୪ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ଅଗ୍ନିକାଣ୍ଡ ପରେ ହସ୍ପିଟାଲରୁ ରୋଗୀଙ୍କୁ ଅନ୍ୟ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ଥାନେ ମହାନଗର ନିଗମର ଅଧିକାରୀଙ୍କ ଅନୁସାରେ, ଭୋର୍ ପ୍ରାୟ ୩ଟା ୪୦ ସମୟରେ ଥାନେର ମୁମ୍ବାଇସ୍ଥିତ ପ୍ରାଇମ୍ କ୍ରିଟିକେୟାର୍ ହସ୍ପିଟାଲରେ ନିଆଁ ଲାଗିଥିଲା । ୨ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରିଥିଲେ । ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି ।
ଏହି ଡାକ୍ତରଖାନାରେ କୌଣସି କୋଭିଡ୍ ଆକ୍ରାନ୍ତ ନଥିଲେ। ସେଠାରୁ ଉଦ୍ଧାର କରାଯାଇଥିବା ୨୦ଜଣ ରୋଗୀଙ୍କ ମଧ୍ୟରୁ ୬ଜଣ ଥିଲେ ‘ଆଇସିୟୁ’ରେ। ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତରଖାନାର ପ୍ରଥମ ମହଲାଟି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମହାରାଷ୍ଟ୍ରର ମନ୍ତ୍ରୀ ତଥା ବିଧାୟକ ଜିତେନ୍ଦ୍ର ଆହ୍ଵାଦ୍ କହିଛନ୍ତି ଯେ, ଅଘଟଣ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଅବଗତ କରାଇ ଦିଆଯାଇଛି। ପ୍ରତ୍ୟେକ ମୃତ ରୋଗୀଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ମିଳିବ। ଆହତମାନେ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପାଇବେ।
ଏହା ପୂର୍ବରୁ ମୁମ୍ବାଇ ନିକଟସ୍ଥ ବିରାର ଅଞ୍ଚଳର ବିଜୟ ବଲ୍ଲଭ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା । ହସ୍ପିଟାଲର ଆଇସିୟୁରେ ୧୭ କରୋନା ଆକ୍ରାନ୍ତ ଥିଲେ । ଯେଉଁଥିରୁ ୧୪ ଜଣ ପ୍ରାଣ ହରାଇଥିଲେ । ଅଗ୍ନିକାଣ୍ଡ ବେଳେ ହସ୍ପିଟାଲରେ ୯୦ ଜଣ ରୋଗୀ ଥିବାବେଳେ ତିନୋଟି ଆଇସିୟୁର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।
Powered by Froala Editor